କଲମ ବଦଳରେ ହାତରେ ବାଡ଼ି:ପେଟ ପାଇଁ ସଂଘର୍ଷ କରୁଛନ୍ତି ଅନାଥ ଭାଇ, ଭଉଣୀ

ନବରଙ୍ଗପୁର: ୨ବର୍ଷ ତଳେ ବାପା, ମାସକ ତଳେ ମା’ ଆରପାରିକୁ ଚାଲିଗଲେ। ଏହାପରେ ବୃଦ୍ଧା ଅଜାଙ୍କ ନିକଟରେ ଆଶ୍ରୟ ନେଇଛନ୍ତି ୪ଅନାଥ ଭାଇ, ଭଉଣୀ। ହାତରେ କଲମ ଧରିବା ବଦଳରେ ବାଡି ଖଣ୍ଡିଏ ଧରି ଗୋରୁ ଚରାଇବାରେ ବ୍ୟସ୍ତ। ଏମିତି ଏକ କରୁଣ ଦୃଶ୍ୟ ନବରଙ୍ଗପୁର ବ୍ଲକ ଅଗ୍ନିପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗାଗୁଡା ଗାଁରେ ଦେଖିବାକୁ ମିଳିଛି। କଅଁଳ ବୟସରେ ଦୁନିଆକୁ ଠିକ୍‌ ରୂପେ ଦେଖି ନଥିବା ଏହି ଅନାଥ ଶିଶୁମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜୁତ୍ରୁ ଜାନୀ (୭୫) ପତ୍ନୀ ରତନ ଜାନୀଙ୍କୁ ହରାଇଲେ। ଏହାପରେ ଝିଅ, ଜ୍ୱାଇଁ, ୩ନାତି ଓ ଜଣେ ନାତୁଣୀକୁ ପାଖରେ ଆଖି ରଖିଲେ। ତେବେ ୨ବର୍ଷ ତଳେ ହଠାତ୍‌ ଦିନେ ହୃଦଘାତରେ ଜ୍ୱାଇଁ ମଙ୍ଗୁଳୁ ଜାନୀ ଆରପାରିକୁ ଚାଲିଗଲେ। ପୁଣି ମାସକ ତଳେ ଜଣ୍ଡିସରେ ଆକ୍ରାନ୍ତ ହୋଇ ଝିଅ ନବିନା ମଧ୍ୟ ୪ସନ୍ତାନଙ୍କ ଅନାଥ କରି ଚାଲିଗଲେ। ଏହାପରେ ନାତି, ନାତୁଣୀଙ୍କ ସମସ୍ତ ଭାର ବୃଦ୍ଧ ଜୁତ୍ରୁଙ୍କ ଉପରେ ପଡିଲା। କିନ୍ତୁ ଏହି ବୟସରେ ପିଲାଙ୍କୁ ବଡ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ସେହିପରି ବଡ ନାତି ଧନପତି ଓ ସାନ ନାତି ଗୁରୁବନ୍ଧୁ ଜାନୀ ମୂକ ଏବଂ ବଧିର। ଧନପତି ନବରଙ୍ଗପୁର ବଧିର ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ର। ନାତୁଣୀ ପଦ୍ମା ଜାନୀ ନିକଟସ୍ଥ ଖଣ୍ଡଗୁଡା ବିଦ୍ୟାଳୟରେ ନାମ ଲେଖାଇଥିବା ବେଳେ ସାନ ମଝିଆ ନାତି ରାମଚନ୍ଦ୍ର ଜାନୀ ଖଣ୍ଡଗୁଡା ବିଦ୍ୟାଳୟ ରେ ୪ର୍ଥ ଶ୍ରେଣୀରେ ପାଠ ପଢୁଛି।

ସାନ ନାତି ଗୁରୁବନ୍ଧୁ ଖଣ୍ଡଗୁଡା ବିଦ୍ୟାଳୟରେ ୨ୟ ଶ୍ରେଣୀରେ ପାଠ ପଢ଼େ। ତେବେ ସବା ବଡ ଏବଂ ସବା ସାନ ଭାଇ ଭିନ୍ନକ୍ଷମ ହୋଇଥିବାରୁ ପରିବାରର ପୂରା ଦାୟିତ୍ୱ ପଦ୍ମା ଓ ରାମଚନ୍ଦ୍ର ଉପରେ ପଡିଛି। ମା’ର ମୃତ୍ୟୁ ପରେ ଗୁରୁବନ୍ଧୁ ବ୍ୟତୀତ ଅନ୍ୟ ୩ଜଣ ସ୍କୁଲ ଯିବା ଛାଡି ଦେଇଛନ୍ତି। କାନ୍ଧରେ ବହି ବସ୍ତାନି ବଦଳ ରେ ଏବେ ହାତରେ ବାଡି ଧରି ଗାଇ ଚରାଉଛନ୍ତି। ଘରେ ମୁରବି କହିଲେ ଅଜା ଜିତ୍ରୁ ଜାନି। ବାର୍ଧକ୍ୟ ହେତୁ ସେ ପୂର୍ବଭଳି କାମ କରିପାରୁ ନାହାନ୍ତି। ତଥାପି ୪ ଅନାଥ ନାତିନାତୁଣୀଙ୍କୁ ପେଟ ଭର୍ତି ଖାଦ୍ୟ ଦେବାକୁ ପରିଶ୍ରମ କରୁଛନ୍ତି। ଏହାସତ୍ୱେ ନିଅଣ୍ଟ ପଡୁଛି। ତେଣୁ ଅନାଥ ନାତି, ନାତୁଣୀ ଏବେ କାମରେ ବ୍ୟସ୍ତ। ପ୍ରତିିଦିନ ଗାଁର କିଛି ଲୋକଙ୍କ ଗାଈ ଧରି ଚରାଇବାକୁ ଯାଉଛନ୍ତି। ଲୋକଙ୍କୁ ପରିଶ୍ରମିକ ବଦଳରେ ଖାଦ୍ୟ ମାଗୁଛନ୍ତି। ଯିଏ ଯାହା ଦେଲା ତାହାକୁ ଖାଉଛନ୍ତି। ଜିତ୍ରୁ କହିଛନ୍ତି ଯେ ବୁଢ଼ା ବୟସରେ ସ୍ତ୍ରୀ, ଝିଅ ଓ ଜ୍ୱାଇଁ ଚାଲିଗଲେ।

ଏହି ବୟସରେ ସେ ବିଶ୍ରାମ ନେବା କଥା। କିନ୍ତୁ ଏହି ଅନାଥ ଶିଶୁଙ୍କ ପାଇଁ ଏଣେ ତେଣେ ଦୌଡିବାକୁ ପଡୁଛି। ଝିଅ ୩ମାସ କାଳ ରୋଗରେ ପଡିଲା। ସୁସ୍ଥ କରିବା ପାଇଁ ଋଣ କରି ପ୍ରାୟ ୧୫ହଜାର ଟଙ୍କା ସାରିଦେଲି। ତଥାପି ଝିଅ ଭଲ ହେଲା ନାହିଁ। ଆରପାରିକି ଚାଲିଗଲା। ମୋର ବୟସକୁ ଦେଖି ନାତି ଓ ନାତୁଣୀ ବିଦ୍ୟାଳୟକୁ ଯାଉନାହାନ୍ତି। ଝିଅ ନବୀନା ବଞ୍ଚିଥିବା ବେଳେ ସେ ମୂଲ ଲାଗୁଥିଲା। ଏବେ ପରିବାର ବୋଝ ବୋହିବା ପାଇଁ ସେମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ରାସନ କାର୍ଡରେ ମାସିକ ୩୦କେଜି ଚାଉଳ ମିଳୁଛି। ଚାଉଳ ୧୦ଦିନ ମଧ୍ୟରେ ସରିଯାଉଛି। ତେଣୁ ସରକାର ଏହି ଅନାଥଙ୍କ ପ୍ରତି ସଦୟ ହୋଇ ସହଯୋଗର ହାତ ବଢାଇଲେ ଏମାନେ ମଣିଷ ହୋଇଯିବେ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର