କପି ଦେଉଥିବା ଅଭିଯୋଗରେ ଶିକ୍ଷକ ଅଟକ:ସନ୍ଦେହ ଘେରରେ କେନ୍ଦ୍ର ଅଧୀକ୍ଷକଙ୍କ ଭୂମିକା

ଚନ୍ଦାହାଣ୍ଡି: ପରୀକ୍ଷା କେନ୍ଦ୍ରରେ ନିୟମକୁ ଉଲଂଘନ ଭଳି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ବାରମ୍ବାର ଘଟୁଥିବା ସାମ୍ନାକୁ ଆସୁଛି। କେନ୍ଦ୍ରରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷକ ଫଟୋ ଉଠାଇବା ବିବାଦ ଥମି ନଥିବା ପୁଣି ନୂଆ ବିବାଦ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି। ସାନି ଘଟଣାରେ ପିଲାଙ୍କୁ କେନ୍ଦ୍ରରେ ଜଣେ ଶିକ୍ଷକ କପି ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚନ୍ଦାହାଣ୍ଡି ଥାନା ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଶେଷ ଖବର ସୁଦ୍ଧା ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଧୋଡିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଳବେଡା କନ୍ୟାଶ୍ରମର ଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ଆଜି ପରୀକ୍ଷା ଚାଲିଥିବା ବେଳେ କନ୍ୟାଶ୍ରମର ସହକାରୀ ଶିକ୍ଷକ ହୃଷିକେଶ ସାହୁ ଛାତ୍ରୀଙ୍କୁ କପି ଦେଉଥିବା ସୂଚନା ମିଳିଥିଲା। ଏହାପରେ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ, ବିଇଓ ଭଜନଲାଲ ମାଝୀ, ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶରତ ଶବର ପ୍ରମୁଖ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଶିକ୍ଷକ ହୃଷିକେଶ ସାହୁଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ହିନ୍ଦୀ ବିଷୟର କପି ମିଳିଥିଲା। ସେଠାରୁ ପୁଲିସ ତାଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରିଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ପରୀକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ଚନ୍ଦାହାଣ୍ଡି ବ୍ଲକରେ ବାରମ୍ବାର ତାହାର ଉଲଂଘନ ହେବାରେ ଲାଗିଛି। ପରୀକ୍ଷା କେନ୍ଦ୍ର ଭିତରକୁ ଦାୟିତ୍ୱରେ ନଥିବା ଅନ୍ୟ ଏକ ସ୍କୁଲର ଶିକ୍ଷକ କେମିତି ଗଲେ। ପୁଣି ମୋବାଇଲ ପାଇଁ ବାରଣ ହୋଇଥିବା ବେଳେ ତାଙ୍କୁ କାହିଁକି ଯାଞ୍ଚ କରାଗଲା ନାହିଁ। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅଧୀକ୍ଷକ ଏନେଇ କେମିତି ଜାଣିପାରିଲେ ନାହିଁ। ଏମିତି ଅନେକ ପ୍ରଶ୍ନ ମଧ୍ୟରେ ଶୁଣିବାକୁ ମିଳୁଛି ଯେ ଥାନାରେ ଅଟକ ଥିବା ଶିକ୍ଷକ ହୃଷିକେଶ ସାହୁ ପୂର୍ବରୁ ଧୋଡିପାଣି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ବର୍ଷକ ତଳେ ତାଙ୍କ ବିରୋଧରେ ବହୁ ଅଭିଯୋଗ ହେବାରୁ ତାଙ୍କୁ ଦଳବେଡା କନ୍ୟାଶ୍ରମକୁ ବଦଳି କରାଯାଇଥିଲା। ତେଣୁ ଏଠାକାର କର୍ମଚାରୀଙ୍କୁ ସେ ଭଲ ରୂପେ ଚିହ୍ନି ଥିବାରୁ କେନ୍ଦ୍ରରେ ପଶିବାରେ ତାଙ୍କୁ ବିଶେଷ ଅସୁବିଧା ହୋଇ ନଥିବା କୁହାଯାଉଛି।
ବିଳମ୍ବରେ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଯାହାର ଉତ୍ତର ମଧ୍ୟ ସଂପୃକ୍ତ ଶିକ୍ଷକ ଦେଇ ସାରିଥିବା ଜଣାପଡିଛି। ନିଜ ଉତ୍ତରରେ ଶିକ୍ଷକ ଜଣକ ଉଲ୍ଲେଖ କରିଛନ୍ତି ଯେ ସେ ଛାତ୍ରୀଙ୍କ ଚିହ୍ନଟ ପାଇଁ ସେଠାକୁ ଯାଇଥିଲେ। ଜଣେ ଛାତ୍ରୀ ଅସୁସ୍ଥ ଥିବାରୁ ସେ କେନ୍ଦ୍ରରେ ଅପେକ୍ଷା କରିଥିଲେ। ତେଣୁ କେନ୍ଦ୍ର ଅଧୀକ୍ଷକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ପୁଲିସ ଅଟକ ରଖିଥିବା ହୃଷିକେଶଙ୍କ ନିକଟରେ କାରଣ ଦର୍ଶାଅ ନୋଟିସ୍‌ ପହଞ୍ଚିଲା କେମିତି ଓ ସେ ଏହାର ଉତ୍ତର ଏତେ ଶୀଘ୍ର କେମିତି ଦେଲେ। ଅବାଧ ଓ ସ୍ୱଚ୍ଛ ପରୀକ୍ଷା ପରିଚାଳନା ନେଇ ଯେଉଁ ଡିଣ୍ଡିମ ପିଟାଯାଉଛି ଏହି ଘଟଣା ତାହାର ଅସଲ ଚେହେରା ପଦାକୁ ଆଣିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଫଟୋ ଉଠାଇବା ଘଟଣାରେ କୋଇଲିମୁଣ୍ଡା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ନିଲମ୍ବିତ ହୋଇ ସାରିଛନ୍ତି। ତେଣୁ ଶିକ୍ଷା ବିଭାଗ ପକ୍ଷରୁ କପି ଯୋଗାଇବା ଅଭିଯୋଗରେ ଅଟକ ଶିକ୍ଷକ ଓ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧୀକ୍ଷକଙ୍କ ବିରୋଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ଏନେଇ ନବରଙ୍ଗପୁର ଡିଇଓ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର