ଝରିଗାଁ: ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଝରିଗାଁ ନିକଟସ୍ଥ ଅସୁରପଖନା ଛକ ଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଝରିଗାଁ ବ୍ଲକର ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ବିଷମପୂରିଆ ସାହିର ୧୫ଜଣ ଶ୍ରମିକ ଏକ ଟ୍ରାକ୍ଟର ଯୋଗେ କର୍ଲାପଡା ଗ୍ରାମ ଯାଇ ମକା ଚାଷରେ କୁଲି କାମ କରି ନିଜ ଗାଁକୁ ଫେରୁଥିଲେ। ତେବେ ଅସୁରପଖନା ଛକ ଠାରେ ସାମ୍ନା ପଟୁ ହଠାତ୍ ଏକ ବାଇକ୍ ଆସିଯିବାରୁ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଡ୍ରାଇଭର ରାସ୍ତାକଡକୁ ନେଇଯାଇଥିଲେ। ଫଳରେ ଟ୍ରାକ୍ଟର ଟ୍ରଲିରେ ବସିଥିବା ଶ୍ରମିକ ମାନେ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଆହତ ମାନେ ହେଲେ ଅନିତା ସାନ୍ତା(୨୩), ବାସନ୍ତି ସାନ୍ତା(୧୮), ବାମରି ସାନ୍ତା(୨୦), ଶୁଭ ସାନ୍ତା(୨୨)। ତେବେ ବାଇକ୍ ଚାଳକ ଏବଂ ଟ୍ରାକ୍ଟର ଡ୍ରାଇଭର ବାରିକ ସାନ୍ତା ଘଟଣା ସ୍ଥଳରେ ଆହତଙ୍କୁ ଛାଡି ଚାଲିଯାଇଥିଲେ। ସେହି ରାସ୍ତା ଦେଇ ବଲେରୋ ଆସୁଥିବା ବେଳେ କେଶବ ଗୌଡ ସମସ୍ତ ଆହତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଆହତଙ୍କ ମଧ୍ୟରୁ ଅନିତା ସାନ୍ତା ଏବଂ ଶୁଭ ସାନ୍ତାଙ୍କ ଅବସ୍ଥା ଜଟିଳ ଥିବାରୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭର ବାରିକ ସାନ୍ତାଙ୍କୁ ଥାନାରେ ଅଟକ ରଖିଛି। ଏସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି।
ଟ୍ରାକ୍ଟର ଦୁର୍ଘଟଣାରେ ୪ ଗୁରୁତର
/sambad/media/post_attachments/wp-content/uploads/2019/07/700.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)