ଟ୍ରାକ୍ଟର ଓଲଟି ଶ୍ରମିକ ମୃତ, ଜଣେ ଗୁରୁତର

ପାପଡାହାଣ୍ଡିି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ନାକଟିଗୁଡା-କୁସୁମି ଛକ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ଜଣ ଶ୍ରମିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ପାପଡାହାଣ୍ଡି ଥାନା ତଥା ତୁମ୍ବର୍ଲା ଫାଣ୍ଡି ଅନ୍ତର୍ଗତ ନାକଟିଗୁଡା ପଞ୍ଚାୟତର ମିଞ୍ଜା ଗ୍ରାମର ଏକ ଟ୍ରାକ୍ଟର ସହିତ ଧାନ ଉଡାଇବା ମେଶିନ୍‌ ଆଜି ଝାଡକୁସୁମି ଗାଁକୁ ଯାଉଥିଲା। ତେବେ ସକାଳ ପ୍ରାୟ ନାକଟିଗୁଡା-କୁସୁମି ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ମିଞ୍ଜା ଗାଁର ଶ୍ରମିକ ତୁଳରାମ ଜାନୀ(୨୮)ଙ୍କ ଧାନ ଉଡାଇବା ମେସିନ ତଳେ ଚାପି ହୋଇଯାଇ ମୃତ୍ୟୁ ହୋଇଯାଇଥିଲା। ସେହିପରି ଅନ୍ୟ ୨ଜଣ ଶ୍ରମିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ରତନ ଜାନୀଙ୍କୁ ନବରଙ୍ଗପୁର ମେଡିକାଲ ପଠାଯାଇଥିବା ବେଳେ ଅନ୍ୟ ଜଣେ ଆହତ ଶ୍ରମିକ ଶୁକ୍ରୁ ଜାନୀଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିକିିତ୍ସା ପରେ ସୁସ୍ଥ ହୋଇ ଶୁକ୍ରୁ ଘରକୁ ଫେରିଥିବା ଜଣାପଡିଛି। ଖବର ପାଇ ତୁମ୍ବର୍ଲା ଫାଣ୍ଡି ଅଧିକାରୀ ମନବଧ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ତୁଳାରାମଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତୁଳାରାମଙ୍କ ମୃତ୍ୟୁ ପରେ ମିଞ୍ଜା ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର