ଟ୍ରକ ଧକ୍କାରେ ମା, ଝିଅଙ୍କ ମୃତ୍ୟୁ:କ୍ଷତିପୂରଣ ପରେ ରାସ୍ତାରୋକ ହଟିଲା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଦର୍ଗାଗୁଡା ଠାରେ ଟ୍ରକ ଦୁର୍ଘଟଣାରେ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ଡାବୁଗାଁ ଅଞ୍ଚଳର ଅର୍ଜୁନ ସାନ୍ତାଙ୍କ ପତ୍ନୀ ସୁରମ୍ଭା ଏବଂ ୧ବର୍ଷର ଝିଅ ଅଙ୍କିତା ବୋଲି ଜଣାପଡିଛି। ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ମୃତକଙ୍କ ସଂପର୍କୀୟ ଉମରକୋଟର ଗୁଲିପାଟଣା ସାହି ଛକରେ ରାସ୍ତା ଅବରୋଧ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଅର୍ଜୁନ ସାନ୍ତାଙ୍କ ପତ୍ନୀ ସୁରମ୍ଭା ଝିଅ ଅଙ୍କିତା ସହ ବାପା ଘର ମାଟାଗାଁ ଯାଇଥିଲେ। ସେଠାରୁ ସୁରମ୍ଭା ଝିଅ ସହ ଭାଇ ଭଗବାନ ପରଜାଙ୍କ ମୋଟର ସାଇକେଲରେ ଉମରକୋଟ ଅଭିମୁଖେ ଆସୁଥିଲେ। ଉମରକୋଟ ବସଷ୍ଟାଣ୍ଡରୁ ବସରେ ଡାବୁଗାଁ ଯାଇଥାନ୍ତେ। ତେବେ ଉମରକୋଟରୁ ୧କିମି ଦୂର ଦର୍ଗାଗୁଡା ନିକଟରେ ଭ୍ୟାନକୁ ଓଭରଟେକ କରୁଥିବା ସମୟରେ ମୋଟର ସାଇକେଲ ହ୍ୟାଣ୍ଡେଲ ବାଜି ସମସ୍ତେ ତଳେ ପଡିଯାଇଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ(ସିଜି ୦୪ଜେସି ୦୮୬୬) ସରମ୍ଭା ଏବଂ ଝିଅ ଉପରେ ମାଡିଯିବାରୁ ଗୁରୁତର ଆହତ ହୋଇଥିଲେ। ଭଗବାନ ବର୍ତିଯାଇଥିବାରୁ ଦୁହେଁଙ୍କୁ ଉମରକୋଟ ମେଡିକାଲ ଆଣିଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ସଂପର୍କୀୟ ମୃତଦେହକୁ ମେଡିକାଲରୁ ଆଣି ଗୁଲିପାଟଣା ସାହି ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉମରକୋଟରୁ ନବରଙ୍ଗପୁରକୁ ଯାତାୟାତ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ସେଠାରୁ ଚାଲିଯାଇଥିବା ଉମରକୋଟର ଟ୍ରକକୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ପୁଲିସ ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ କ୍ଷତିପୂରଣ ବାବଦକୁ ୧ଲକ୍ଷ ୪୦ହଜାର ଟଙ୍କା ଦେବା ପରେ ସନ୍ଧ୍ୟା ୭ଟା ବେଳେ ରାସ୍ତାରୋକ ହଟିଥିଲା। ଏ ସଂପର୍କରେ ଉମରକୋଟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର