ରାସ୍ତା କଡକୁ ଓଲଟିଲା ଟ୍ରକ

ନବରଙ୍ଗପୁର: ନବରଙ୍ଗପୁର ନିକଟସ୍ଥ ଅଞ୍ଚଳା-ରେଙ୍ଗାଗୁଡା ମଧ୍ୟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଯାହାଫଳରେ ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଡ୍ରାଇଭରଙ୍କୁ ୩ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏରେ ବରଗଡରୁ ଗୋଟିଏ ୧୮ ଚକିଆ ଟ୍ରକ ଜିନିଷ ନେଇ ମାଲକାନାଗିରି ଅଭିମୁଖେ ଯାଉଥିଲା। ଅଞ୍ଚଳା ଠାରୁ ପ୍ରାୟ ୨ କିମି ଦୂରରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଗାଡିରୁ ହେଲପର ବାମ ପଟ ଝରକା ଦେଇ ବାହାରକୁ ଆସିବା ପାଇଁ ସକ୍ଷମ ହୋଇପାରିଥିବା ବେଳେ ଡ୍ରାଇଭର ପ୍ରେମ ପ୍ରକାଶ ଲକରା ଗାଡି ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ରାସ୍ତାରେ ଯାଉଥିବା ଯାତ୍ରୀ ଡ୍ରାଇଭରଙ୍କୁ ବାହାରକୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିପାରିନଥିଲେ। ଶେଷରେ ବୋରିଗୁମ୍ମା ଥାନା ଅଧିକାରୀ ଉତ୍ତମ କୁମାର ମହାନ୍ତି, ଷ୍ଟାଫ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସ କଟର ଅଣାଯାଇ ଗାଡିର ସମ୍ମୁଖ ଅଂଶକୁ କାଟିବାରୁ ପ୍ରାୟ ୩ଘଣ୍ଟା ପରେ ଡ୍ରାଇଭର ଉଦ୍ଧାର ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନବରଙ୍ଗପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର