୨ବାଇକ୍‌ ମୁହାଁମୁହିଁ, ୩ଗୁରୁତର

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ୩ଜଣଙ୍କୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ସୁନାବେଡା ଗ୍ରାମର ସୁକାଲୁ ଜାନୀ ଓ ଗଙ୍ଗାଧର ଜାନୀ ଏକ ବାଇକ୍‌(ଓଆର ୨୪ଏ ୩୬୮୦) ଯୋଗେ ଆଜି ଝାଲିଆଗୁଡାରୁ ଫେରୁଥିଲେ। ତେବେ ସଂଧ୍ୟା ପ୍ରାୟ ୬ଟାରେ ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ସୁକାଲୁ ଓ ଗଙ୍ଗାଧରଙ୍କ ସମେତ ଅନ୍ୟ ବାଇକ୍‌ରେ ଥିବା ଡାବୁଗାଁ ଥାନା ଅନ୍ତର୍ଗତ ରାବଣାଗୁଡା ଗ୍ରାମର ଦୁର୍ଯନ ବିଷୋୟୀ, ଡମୁଦାସ ପନକା ଓ ଚନ୍ଦ୍ରୁ ଭତରା ଆହତ ହୋଇଥିଲେ। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲା। ତେବେ ଦୁର୍ଯନ, ଡମୁଦାସ ଓ ଚନ୍ଦ୍ରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି। ଉଭୟ ବାଇକ୍‌କୁ ପୁଲିସ ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର