ନବରଙ୍ଗପୁର: ଶୌଚ ପାଇଁ ଯାଇଥିଲେ, ପୋଖରିରୁ ଉଦ୍ଧାର ହେଲା ୨ ଶିଶୁ କନ୍ୟାଙ୍କ ମୃତଦେହ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅଧୀନ ମାଲିଗୁଡା ଗାଁରେ ଶନିବାର ପୋଖରିରେ ବୁଡ଼ି ୨ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ପୋଦନ କୋଲାରଙ୍କ ଝିଅ ଲଳିତା(୫) ଓ ଜଳଧର କୋଲାରଙ୍କ ଝିଅ ଜୁଲିତା(୩)ଙ୍କର ମୃତ୍ୟୁ ଘଟିଛି।

ଲଳିତା ଓ ଜୁଲିତା ଆଜି ଅପରାହ୍ନ ପ୍ରାୟ ୧ଟାରେ ଗାଁ ନିକଟରେ ଥିବା ପୋଖରି ଆଡ଼କୁ ଶୌଚ ପାଇଁ ଯାଇଥିଲେ। ଭୁଲ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଭଉଣୀ ଘରକୁ ନ ଫେରିବାରୁ ଲଳିତାର ବଡ଼ ଭାଇ କାନ୍ତ କୋଲାର ପୋଖରିକୁ ଯାଇଥିଲା। ସେଠାରେ ସେ ଦେଖିଲା ଯେ, ହୁଡାରେ ଲଳିତାର ପୋଷାକ ଥୁଆ ହୋଇଛି ଓ ଜୁଲିିତା ପାଣିରେ ଉବୁଟୁବୁ ହେଉଛି। ଜଲିତା ଗଭୀର ପାଣିରେ ଭାସୁଥିବା ଦେଖି କାନ୍ତ ଜୋରରେ ଚିତ୍କାର କରିଥିଲା। ଚିତ୍କାର ଶୁଣି ନିକଟରେ କାମ କରୁଥିବା ସନପତ ବିନ୍ଧାଣୀ ଓ ଚମରୁ ପରସମଣି ଘଟଣାସ୍ଥଳରେ ପହଞ୍ଚି ବୁଡ଼ିଯାଇଥିବା ଶିଶୁକନ୍ୟା ଦ୍ୱୟଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ସେମାନେ ମରି ସାରିଥିଲେ।

ସୂଚନା ପାଇ ଡାବୁଗାଁ ଥାନା ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଓ ଏଏସ୍‌ଆଇ ଗଣେଶ କୁମାର ପଟ୍ଟନାୟକ ମାଲିଗୁଡ଼ା ପହଞ୍ଚି ୨ ଶିଶୁ କନ୍ୟାଙ୍କର ମୃତଦେହ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର