ବୃଦ୍ଧଙ୍କ ଠାରୁ ଝାମ୍ପିନେଲେ ୨ଲକ୍ଷ ଟଙ୍କା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଟିକିରା ସାହିର ଜଣେ ଅବସରପ୍ରାପ୍ତ କିରାଣିଙ୍କ ଠାରୁ ଦିନ ଦ୍ୱିପହରରେ ୨ଜଣ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉମରକୋଟ ଟିକିରା ସାହିରେ ରହୁଥିବା ଅବସରପ୍ରାପ୍ତ କିରାଣି ବିପିନ ନାୟକ(୬୮) ଉମରକୋଟ ଏକ୍ସିସ ବ୍ୟାଙ୍କରେ ନିଜ ସୁନା ଗହଣା ବନ୍ଧକ ରଖିଥିଲେ। ଏହି ସୁନା ମୁକୁଳାଇବା ପାଇଁ ଆଜି ଶ୍ରୀ ନାୟକ ଘରୁ ୨ଲକ୍ଷ ଟଙ୍କା ଧରି ନିଜ ବାଇକ୍‌ରେ ବ୍ୟାଙ୍କ ଯାଇଥିଲେ। ସୁନା ମୁକୁଳାଇବା ପାଇଁ କେତେ ଟଙ୍କା ଦେବାକୁ ପଡିବ ବୋଲି ସେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ପଚାରିଥିଲେ। ବ୍ୟାଙ୍କରେ ୧ଲକ୍ଷ ୮୮ହଜାର ଟଙ୍କା ଜମା କଲେ ସୁନା ଦିଆଯିବ ବୋଲି ବ୍ୟାଙ୍କ କର୍ତୃପକ୍ଷ କହିଥିଲେ।

ତେବେ ବ୍ୟାଙ୍କରେ ଅଧିକ ଗହଳି ଥିବା ସହ ନିଜ ଔଷଧ ଖାଇବା ସମୟ ହୋଇଥିବାରୁ ଆସନ୍ତାକାଲି ଟଙ୍କା ଜମା କରି ସୁନା ନେବି କହି ଶ୍ରୀ ନାୟକ ବ୍ୟାଙ୍କରୁ ଟଙ୍କା ଧରି ଆସିଥିଲେ। ନିଜ ବାଇକ୍‌ ଡିକିରେ ଟଙ୍କା ବ୍ୟାଗ୍‌ଟିକୁ ରଖି ଘରକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟାଏରେ ଘର ମୁହଁରେ ଗାଡି ରଖି ଶ୍ରୀ ନାୟକ ଡିକିରୁ ଟଙ୍କା ବ୍ୟାଗ୍‌ ବାହାର କରିବା ସମୟରେ ହଠାତ୍‌ ୨ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଶ୍ରୀ ନାୟକ ଧରିଥିବା ଟଙ୍କା ବ୍ୟାଗ୍‌ଟିକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ତେବେ ଶ୍ରୀ ନାୟକଙ୍କ ହାତ ବ୍ୟାଗ୍‌ର ହ୍ୟାଣ୍ଡେଲ ଭିତରେ ରହି ଯାଇଥିବାରୁ ବ୍ୟାଗ୍‌ ଝାମ୍ପିବା ସମୟରେ ସେ ତଳେ ପଡି ଯାଇଥିଲେ। ଉଭୟ ଦୁର୍ବୃତ୍ତ ଓଡିଆରେ କଥା ହେଉଥିବା ଶ୍ରୀ ନାୟକ କହିଛନ୍ତି। ଦୁର୍ବୃତ୍ତ ମାନେ ବ୍ୟାଙ୍କରୁ ହିଁ ଶ୍ରୀ ନାୟକଙ୍କୁ ପିଛା କରୁଥିବା ସନ୍ଦେହ କରାଯାଉଛି। ଏନେଇ ସେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଗତ କିଛି ମାସ ତଳେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍‌ ହେବା ପରେ ଆଜିର ଲୁଟ୍‌ ଘଟଣା ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ସମ୍ବନ୍ଧିତ ଖବର