ଦୁଇ ଚୋରଙ୍କୁ କାବୁ କଲେ ଗ୍ରାମବାସୀ 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝାଡ଼କୁସମି ଗ୍ରାମ ନିକଟସ୍ଥ ଏକ ମୋବାଇଲ ଟାୱାରରୁ ତାର ଚୋରି କରିବା ବେଳେ ୨ଜଣଙ୍କୁ ଚୋରକୁ କାବୁ କରି ଗ୍ରାମବାସୀ ପୁଲିସ ଜିମାରେ ଦେଇଛନ୍ତି। ସୂଚନା ଅନୁଯାୟୀ,  ସୋମବାର ଦିନ ଝାଡ଼କୁସମି ଗ୍ରାମରେ ବାଲିଯାତ୍ରା  ଚାଲିଥିଲା। ବିଳମ୍ବିତ ରାତିରେ ଏହି ଯାତ୍ରାରେ ଜଣେ ଲୋକଙ୍କୁ କାଳିସୀ ଲାଗିବା ପରେ ସେ ଟାୱାର ଆଡକୁ ଦୌଡ଼ିଥିଲେ। ଏହା ଦେଖି ଉପସ୍ଥିତ ଲୋକେ ତାଙ୍କୁ କାବୁ କରିବାକୁ ଦୌଡ଼ିଥିଲେ। ଏହି ସମୟରେ ଝାଡ଼କୁମସୀ ନିକଟରେ ଥିବା ମୋବାଇଲ ଟାୱାର ସମ୍ମୁଖରେ ଏକ ବାଇକ୍‌ ଥିବା ବେଳେ ଟାୱାର ଉପରେ ୨ଜଣ ଦୁର୍ବୃତ୍ତ ଚଢ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଲୋକଙ୍କୁ ଦେଖିବା ପରେ ଜଣେ ଦୁର୍ବୃତ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଲୋକେ ତାକୁ କାବୁ କରି ନେଇଥିଲେ। ଅନ୍ୟ ଜଣେ ଟାୱାରରୁ ତଳକୁ ଓହ୍ଲାଇବା ପରେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଲୋକେ ଉତ୍ତ୍ୟକ୍ତ ଅବସ୍ଥାରେ ଥିବା ଦେଖି ଟାୱାରରୁ ତାର ଚୋରି କରିବାକୁ ଆସିଥିବା ଉଭୟ ଦୁର୍ବୃତ୍ତ ସ୍ବୀକାର କରିଥିଲେ। ପରେ ଗ୍ରାମବାସୀ ଉଭୟଙ୍କୁ ତୁମ୍ବର୍ଲା ପୁଲିସ ଜିମାରେ ଦେଇଥିଲେ।

ସମ୍ବନ୍ଧିତ ଖବର