ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡା ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ଅଜଣା ଶବ ଉଦ୍ଧାର ହୋଇଛି। ଗତ ଅକ୍ଟୋବର ୧୦ତାରିଖରେ ବେହେଡା ସଂରକ୍ଷିତ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ଶବ ଏହି ଜଙ୍ଗଲରୁ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ତେବେ ଆଜି ପୁଣି ଥରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ଉମରକୋଟ ପୁଲିସ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଖବର ଲେଖା ହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି।
ସୂଚନା ଅନୁଯାୟୀ, ବେହେଡା ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବା ମାଲାପାରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ଶବ ଝୁଲୁଥିବା ସ୍ଥାନୀୟ କିଛି ଲୋକ ଦେଖି ଉମର‌େକାଟ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ସୁରେନ୍ଦ୍ର ବେଉରିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥ‌ିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ୪ରୁ ୫ଦିନ ତଳେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଶବଟି ପଚି ଦୁର୍ଗନ୍ଧ ହେବା ସହ କଳା ପଡିଯାଇଛି। ଶବକୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସମ୍ଭବ ନଥିବାରୁ ଉମରକୋଟର ଡା. ସୁମନ୍ତ ରାଉଳ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ। ପରେ ଶବଟିକୁ ଘଟଣାସ୍ଥଳ ନିକଟରେ ହିଁ ପୋତି ଦିଆଯାଇଛି। ଶବଟି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର