ବାହାରେ ପଡ଼ିଛି ଶହଶହ ପାମ୍‌ ଅଏଲ୍‌ ଚାରା

ନୂଆଗାଁ: କେତେକ ଅସାଧୁ କର୍ମଚାରୀଙ୍କ ଯୋଗୁ ଚାଷୀଙ୍କ ପାଇଁ ଆସିଥିବା ଚାରା ଏବେ କାର୍ଯ୍ୟରେ ନ ଲାଗି ବାହାରେ ପଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ନୂଆଗାଁ ବ୍ଲକ୍‌ରେ ୨୦୧୭-୧୮ ମସିହାରେ ୩୦ ହେକ୍ଟର ଜମିରେ ପାମ୍‌ ଅଏଲ୍‌ ଗଛ ଲଗାଇବା ପାଇଁ ୩୦ ଜଣ ଚାଷୀଙ୍କୁ ଚାରା ଯୋଗାଇ ଦିଆଯାଇଛି। ହେକ୍ଟର ପିଛା ୧୪୩ ଗଛ ହିସାବରେ ଚାରା ଦିଆଯାଇଛି। ଚାରା ଯୋଗାଇଦେବା ସହିତ ସାର ଏବଂ ଏହାର ସୁରକ୍ଷା ପାଇଁ ତାରଜାଲି ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ ଚାଷୀଙ୍କୁ ଗଛ ପିଛା ୨୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅନ୍ୟ ପକ୍ଷରେ ଚାଷୀମାନଙ୍କୁ ସରକାର ଗଛ ପିଛା ୧୧୦ ଟଙ୍କା ହିସାବରେ ସବ୍‌ସିଡି ଦେବା ବ୍ୟବସ୍ଥା କରିଛନ୍ତି। ମାତ୍ର ଚାଷୀ ପାମ୍‌ ଅଏଲ ଚାରା ଲଗାଇବା ପରିବର୍ତ୍ତେ ସେସବୁ ପକାଇ ରଖିଥିବା ଦେଖିବାକୁ ମିଳିଛି। ସିକ୍ରିଡ଼ା ଗ୍ରାମରେ ଥିବା ଏକ ଆଖୁବିଲରେ ଅଦରକାରୀ ଭାବେ ପଡ଼ି ରହିଛି ଏହି ପାମ୍‌ ଅଏଲ୍‌ ଗଛ। ତଥ୍ୟ ଅନୁଯାୟୀ ସିକ୍ରିଡ଼ା ଗ୍ରାମର ୭ ଜଣ ଚାଷୀ ପାମ୍‌ ଅଏଲ ପାଇଁ ଆବେଦନ କରି ଚାରା ପାଇଛନ୍ତି। ଚାଷୀମାନେ ଚାରାକୁ ନେଇ ରୋପଣ କଲେ କି ନାହିଁ ତା’ର ତଦାରଖ ଠିକ୍‌ ଭାବେ ହେଉନାହିଁ। ଚାଷୀ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରି ପ୍ରଚୁର ପରିମାଣର ଅର୍ଥ ବ୍ୟୟ କରୁଛନ୍ତି। ଚାଷୀମାନଙ୍କ ପାଇଁ ବୀମା ଏବଂ ସବ୍‌ସିଡି ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି। ଏହାକୁ ଦେଖିବାକୁ କେହି ନାହିଁ। ଏ ସମ୍ପର୍କରେ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ତାରେଶ୍ୱର ପାଣି କହିଛନ୍ତି, ଚାଷୀମାନେ ପାମ୍‌ ଅଏଲ୍‌ ଗଛକୁ ନେଇ ଉପଯୁକ୍ତ ବ୍ୟବହାର କରୁ ନଥିବା ସ୍ୱୀକାର କରିଛନ୍ତି। ସବ୍‌ସିଡିକୁ ଆଖି ଆଗରେ ରଖି କିଛି ଚାଷୀ ଏହି ଚାରା ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର