ଚା’ ଦୋକାନୀଙ୍କୁ ତତଲା ତେଲ ଫିଙ୍ଗିବା ଘଟଣା:ରୋଗୀ ବାରଦୁଆର, ମିଳୁନି ସ୍ବାସ୍ଥ୍ୟ ବୀମା ସହାୟତା

ନୂଆଗାଁ: ସାମାନ୍ୟ କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ପରେ ଜଣେ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଯୁବକଙ୍କ ଉପରକୁ ତତଲା ତେଲ ଫିଙ୍ଗି ଦେବାରୁ ଯୁବକ ଜଣକ ଗୁରୁତର ହୋଇଥିଲେ। ତାଙ୍କ ଶରୀରର ୬୦ ଭାଗ ପୋଡ଼ି ନଷ୍ଟ ହୋଇଯାଇଥିଲା। ତାଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଗତ ୬ ତାରିଖ ଦିନ ଘଟିଥିଲେ ମଧ୍ୟ ଯୁବକ ଜଣକ ସରକାରୀ ସୁବିଧା ନପାଇ ବାରଦୁଆର ହେଉଥିବା ଜଣାପଡ଼ିଛି। ତାଙ୍କୁ ବିଜୁ କୃଷକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ଯୋଜନାରେ ସହାୟତା ମିଳୁନଥିବା ବେଳେ ଏବେ ଏକ ଘରୋଇ ଡାକ୍ତରଖାନାରେ ପରିବାର ଲୋକେ ତାଙ୍କର ଚିକିତ୍ସା କରୁଛନ୍ତି। ଏପଟେ ପୁଅର ଏଭଳି ଅବସ୍ଥା ଦେଖି ବୁଢୀମା’ ଆଖିରୁ ଲୁହ ଶୁଖୁନଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ, ଖୋର୍ଦ୍ଧା–ବଲାଙ୍ଗିର ଜାତୀୟ ରାଜପଥ ନୂଆଗାଁ ଥାନା ମହିପୁର ଫାଣ୍ଡି ବକଳବନ୍ଧ ରାସ୍ତାକଡ଼ରେ ଥିବା କୃଷ୍ଣଚନ୍ଦ୍ର ସାହୁଙ୍କ ଚା ଦୋକାନକୁ ଏକତାଳ ଗ୍ରାମର ଯୁଗଳ ବରାଡ଼ ଏବଂ ଜଣେ ସହଯୋଗୀ ଚା ପିଇବାକୁ ଆସି ସ୍ପୋଶାଲ ଚା କରିବାକୁ ଦୋକାନୀଙ୍କୁ କହିଥିଲେ। ଦୋକାନୀ ସ୍ପୋଶାଲ ଚା ହୋଇପାରିବ ନାହିଁ ବୋଲି ମନା କରିବା ପରେ ଉଭୟଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁଗଳ ହଠାତ୍ ଉତ୍ୟକ୍ତ ହୋଇ ଚୁଲିରେ ବସିଥିବା ତାତିଲା ତେଲକୁ ଚା ଦୋକାନୀ ଉପରକୁ ଫିଙ୍ଗି ଦେଇଥିଲେ। ସେ ଯନ୍ତ୍ରଣାରେ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକେ ତାଙ୍କୁ ପ୍ରଥମେ ନୟାଗଡ଼ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କଟକ ଡାକ୍ତରଖାନାରେ ରୋଗୀ ପାଇଁ ବେଡ୍‌ ନଥିବାରୁ ଏବଂ ଦୁଇ ଦିନ ତଳେ ପଡ଼ି ରହିବା ପରେ, ପାଖରେ ଥିବା ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ କହି ସେଠାକାର ଡାକ୍ତର ସେମାନଙ୍କୁ ତଡ଼ି ଦେଇଥିଲେ।

ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ କୃଷକ କଲ୍ୟାଣ ସ୍ବାସ୍ଥ୍ୟ ବିମା କାର୍ଡ ଥାଇ ରୋଗୀ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି। ସ୍ବାସ୍ଥ୍ୟ ବୀମା କାର୍ଡ ଥାଇ ନୟାଗଡ଼ ଏବଂ କଟକରେ କୌଣସି ସୁବିଧା ମିଳିନଥିବା କୃଷ୍ଣଚନ୍ଦ୍ରଙ୍କ ପରିବାର ପ୍ରକାଶ କରିଛନ୍ତି। କାହା ସ୍ବାର୍ଥରେ ଏହି ସ୍ବାସ୍ଥ୍ୟବୀମା କାର୍ଡ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିଛନ୍ତି। ଏବେ କୃଷ୍ଣଚନ୍ଦ୍ର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆର୍ଥିକ ଅନଟନ ତାଙ୍କୁ ଆହୁରି ବିଚଳିତ କରିଛି। ଧାରକରଜ କରି ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରୁଥିବା ଜଣାପଡ଼ିଛି। ଏପଟେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ, ବୁଢି ମା’ କମଳା ସାହୁ ଆଖିରୁ ଖାଲି ଲୁହ ଗଡ଼ାଇବା ସହିତ ପୁଅ କିଭଳି ଆରୋଗ୍ୟ ହେବ ସେ ନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର