ହିତାଧିକାରୀଙ୍କ ଭତ୍ତା ଟଙ୍କାରୁ ଅର୍ଥ ଆଦାୟ ଘଟଣା: ସରପଞ୍ଚଙ୍କ ନାଁରେ ମାମଲା

ନୂଆଗାଁ: ନୂଆଗାଁ ବ୍ଲକ୍‌ ଦୁରୁଦୁରା ପଞ୍ଚାୟତରେ ଭତ୍ତା ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ ଘଟଣାରେ ସରପଞ୍ଚ ଏବଂ ସମିତିସଭ୍ୟ ମୁହାଁମୁହିଁ ହୋଇଛନ୍ତି। ହିତାଧିକାରୀଙ୍କଠାରୁ ସରପଞ୍ଚଙ୍କ ସ୍ବାମୀ ଅର୍ଥ ଆଦାୟ କରିଥିବା ନେଇ ହିତାଧିକାରୀ ଏବଂ ସମିତିସଭ୍ୟଙ୍କ ସ୍ବାମୀ ବିଡିଓଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଘଟଣା ସଂପୂର୍ଣ୍ଣ ମିଥ୍ୟା ଦର୍ଶାଇ ସରପଞ୍ଚ ଏବଂ କିଛି ହିତାଧିକାରୀ ବିଡିଓଙ୍କୁ ପାଲଟା ଅଭିଯୋଗ କରିଥିଲେ। ଏତିକିରେ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ମଧ୍ୟରେ ବିବାଦ ଥମିନଥିଲା। ଚାରିଦିନ ତଳେ ସରପଞ୍ଚ ପ୍ରତିମା ସ୍ବାଇଁଙ୍କ ସମେତ ଗୋପାଳକୃଷ୍ଣ ସ୍ବାଇଁ, ଜୀବନ ସ୍ବାଇଁ, ଯୁଗଳ ସ୍ବାଇଁ ଏବଂ ଆଉ କିଛି ସମର୍ଥକ ସମତିସଭ୍ୟ ସବିତା ପାଢୀଙ୍କ ଘର ନୂଆପଲ୍ଲୀ ଗ୍ରାମକୁ ଯାଇ ଗାଳିଗୁଲଜ କରିବା ସହିତ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିବା ନୟାଗଡ଼ ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା ଗାଁରେ ହୋହାଲ୍ଲା ଶୁଣି ନୂଆପଲ୍ଲୀ ଗ୍ରାମବାସୀମାନେ ପହଞ୍ଚି ଯିବାରୁ ଘଟଣାସ୍ଥଳରୁ ଆକ୍ରମଣକାରୀମାନେ ପଳାଇଥିବା ସମିତିସଭ୍ୟ ସବିତା ପାଢୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ନୟାଗଡ଼ ସଦର ପୋଲିସ ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଭତ୍ତା ଟଙ୍କାରୁ ଅର୍ଥ ଆଦାୟ ଘଟଣାକୁ ନେଇ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପହଞ୍ଚି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର