ନୟାଗଡ଼: ନୟାଗଡ଼ ଟାଉନ ଥାନା ଅଧୀନ ଚଣ୍ଡିବସ୍ତ ଗ୍ରାମରେ ଦୁଇମାସ ତଳେ ଦେଖା ଦେଇଥିବା ସବର୍ଣ୍ଣ- ଅସବର୍ଣ୍ଣ ଗୋଷ୍ଠୀ ବିବାଦ ପୁଣି ଘନେଇଛି। ଆଜି ଉଭୟ ପକ୍ଷ ଗ୍ରାମ ବିଦ୍ୟାଳୟରେ ଏହି ଘଟଣାର ସମାଧାନ ପାଇଁ ବୈଠକ କରିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ। ବୈଠକରେ ହୋହଲ୍ଲା ହେବା ସହିତ ଜଣେ ସବର୍ଣ୍ଣ ମହିଳାଙ୍କୁ ଅସବର୍ଣ୍ଣ ଗୋଷ୍ଠୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସବର୍ଣ୍ଣ ଗୋଷ୍ଠୀର ପ୍ରାୟ ଦୁଇ ଶହ ଲୋକ ଟାଉନ ଥାନାରେ ପହଞ୍ଚି ଫେରାଦ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ମେ ୧୨ ତାରିଖରେ ଚଣ୍ଡିବସ୍ତ ଗ୍ରାମରେ ଏକ ସବର୍ଣ୍ଣ ପରିବାରର ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ବରଯାତ୍ରୀ ଯାଉଥିବା ସମୟରେ ବାଣୁଆ ବାଣ ଫୁଟାଉଥିଲା। ଦୁର୍ଭାଗ୍ୟବଶତଃ ବାଣଟି ଏକ ନଡ଼ିଆ ଗଛ ଉପରେ ପଡ଼ିବା ଫଳରେ ନଡ଼ିଆ ଗଛ ଜଳିଯିବା ସହିତ ନିକଟରେ ଥିବା ପାଳ ଗଦାରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ଗ୍ରାମବାସୀ ଉକ୍ତ ବାଣୁଆକୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ବାଣୁଆଟି ଜଣେ ଅସବର୍ଣ୍ଣ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ବାଣୁଆ ପଛେ ପଛେ ଧାଇଁଥିବା ସବର୍ଣ୍ଣ ବ୍ୟକ୍ତିମାନେ ଅସବର୍ଣ୍ଣ ସାହିରେ ପହଞ୍ଚି ତୁମେ କାହିଁକି ବାଣୁଆକୁ ଆଶ୍ରୟ ଦେଲେ ବୋଲି କହି ଅସବର୍ଣ୍ଣ ସାହିବାସିନ୍ଦାଙ୍କୁ ଆକ୍ରମଣ କରିଥିଲେ ଏବଂ ରଘୁନାଥ ଗୋଚ୍ଛାୟତଙ୍କ ସ୍କର୍ପିଓ, ଶ୍ରୀଧର ସାହୁଙ୍କ ଇଣ୍ଡିଗୋ କାର, ପ୍ରସନ୍ନ ଗୋଚ୍ଛାୟତଙ୍କ ଅଟୋ ସମେତ ଦୁଇଟି ମୋଟର୍ ସାଇକେଲ ଭାଙ୍ଗିଦେଇଥିବା ଦେଖାଯାଇଥିଲା। ଯାହାକୁ ନେଇ ଅସବର୍ଣ୍ଣ ଗୋଷ୍ଠୀର ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ମଧ୍ୟ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ମାମଲା ମଧ୍ୟ ବିଚାରଧୀନ ରହିଛି। କିନ୍ତୁ ଆଜି ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ଥାନାରେ ନ ଜଣାଇ କିମ୍ବା କୌଣସି ତୃତୀୟ ପକ୍ଷକୁ ନଡାକି ସମାଧାନ ପାଇଁ ଗାଁରେ ବୈଠକ କରିଥିଲେ। ପ୍ରଥମେ ଅସବର୍ଣ୍ଣ ଲୋକଙ୍କ ଗାଡ଼ି ଆଦି ଭାଙ୍ଗିଥିବା ବାବଦରେ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ସବର୍ଣ୍ଣ ଗୋଷ୍ଠୀର ମୁରବୀମାନେ ଦେଇଥିବା ଅସବର୍ଣ୍ଣ ଗୋଷ୍ଠୀ କହିଛନ୍ତି। କିନ୍ତୁ ବୈଠକରେ କାଳେ ସବର୍ଣ୍ଣମାନେ ମାମଲା ପ୍ରତ୍ୟାହାର ପାଇଁ ଅସବର୍ଣ୍ଣଙ୍କ ଉପରେ ଚାପ ପକାଇବା ସହ କ୍ଷତିପୂରଣ ଦେବାକୁ ରାଜି ହୋଇନଥିବା ଅଭିଯୋଗ ଆସିଛି। ଫଳରେ ବୈଠକ ବିଫଳ ହୋଇଥିଲା ଏବଂ ଏହି ରାଗରେ ଅସବର୍ଣ ଗୋଷ୍ଠୀର ଲୋକେ ଅପରାହ୍ଣରେ ବିଲକୁ ଯାଇଥିବା ଜଣେ ସବର୍ଣ୍ଣ ମହିଳାଙ୍କୁ ଆକ୍ରମଣ କରିଥିବା ସବର୍ଣ୍ଣ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ଏ ବାବଦରେ ଟାଉନ ଥାନା ଏସ୍ଆଇ ପ୍ରଦୀପ କୁମାର ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି, ଚଣ୍ଡିବସ୍ତର ସବର୍ଣ୍ଣ ଗୋଷ୍ଠୀଙ୍କ ଅଭିଯୋଗ ପାଇଲା ପରେ ଘଟଣାର ସତ୍ୟାସତ୍ୟ ନେଇ ପୁଲିସ୍ ଉକ୍ତ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରୁଛି। ଗତ ମେ ମାସରୁ ଆରମ୍ଭ ହୋଇଥିବା ଏହି ବିବାଦ ନେଇ ପୁଲିସ୍ ମଧ୍ୟ ଏହି ମାମଲା ରୁଜୁ କରିସାରିଛି। ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି କେଉଁ ପରିସ୍ଥିତିରେ ଦୁଇ ଗୋଷ୍ଠୀ ଏକାଠି ହୋଇଥିଲେ, ପୁଲିସ୍ ତାହାର ଅନୁଧ୍ୟାନ କରୁଛି।
ଗାଁ ବୈଠକରେ ହୋଇ ପାରିଲାନି ସମାଧାନ:ଚଣ୍ଡିବସ୍ତ ଗାଁରେ ପୁଣି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ
ସବର୍ଣ୍ଣ ମହିଳାଙ୍କୁ ଆକ୍ରମଣ ଅଭିଯୋଗ
/sambad/media/post_attachments/wp-content/uploads/2019/07/naya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)