ପ୍ରେମିକାକୁ ବିବାହ ପରେ ପ୍ରତାରଣା:ରାସ୍ତାରେ ଛାଡ଼ି ପ୍ରେମିକ ଛୁ’

ନୂଆଗାଁ: ନୂଆଗାଁ ବ୍ଲକ୍‌ ଗାତେରୀ ପଞ୍ଚାୟତ ସୁରୁକାବାରୀ ଗ୍ରାମର ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଗ୍ରାମବାସୀଙ୍କ ହାବୁଡ଼ରେ ଧରା ପଡ଼ିବା ପରେ ଦୁଇଜଣଙ୍କୁ ଗ୍ରାମବାସୀ ବୁଝାସୁଝା କରି ବିବାହ କରାଇଥିଲେ। ମାତ୍ର ବିବାହ କରିସାରିବା ପରେ ପ୍ରେମିକାକୁ ନେଇ ସାଙ୍ଗରେ ଧରି ଯାଉଥିବା ବେଳେ ଅଧାରାସ୍ତାରେ ଘର ଭଡ଼ା ବୁଝିବା ବାହାନା ବନାଇ ଛାଡ଼ି ପଳାଇଥିବା ପ୍ରେମିକା ଓଡ଼ଗାଁ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ ଗାତେରୀ ପଞ୍ଚାୟତର ଭୂଇଁଆଣୀ ଠାକୁରାଣୀଙ୍କଠାରୁ ସୁରୁକାବାରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଜେସିବି ଡ୍ରାଇଭର୍‌ ଭାବେ ମାନସ କୁମାର ବେହେରା (୨୨) କାମ କରୁଥିଲା। ସେଠାରେ ଜଣେ ଯୁବତୀଙ୍କ ସହିତ ମାନସର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିଛିଦିନ ପରେ ଦୁହେଁ ଗ୍ରାମବାସୀଙ୍କ ହାବୁଡରେ ଧରା ପଡିଥିଲେ। ଗ୍ରାମବାସୀମାନେ ଡ୍ରାଇଭର୍‌ ମାନସକୁ ଅଟକ ରଖି ସେହି ଯୁବତୀ ସହିତ ବିବାହ କରିବାକୁ କହିଥିଲେ। ଏଥିରେ ମାନସ ଅରାଜି ହେବାରୁ ଗ୍ରାମବାସୀମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମାନସର ବାପା ହରଷ ବେହେରା ପହଞ୍ଚି ସେଠାରେ ମାନସର ବିବାହ କରାଯିବ ବୋଲି କହିଥିଲେ। ଏବଂ ନିକଟସ୍ଥ ଦୁର୍ଗା ମନ୍ଦିରରେ ଦୁହିଁଙ୍କର ବିବାହ ହୋଇଥିଲା। ଗତକାଲି ନିଜ ଘରକୁ ଏକ ଅଟୋରେ ଫେରୁଥିବା ବେଳେ ଅଧାରାସ୍ତାରେ ପ୍ରେମିକ ମାନସ ଘର ଭଡା ନେଇ ରହିବାକୁ ପ୍ରେମିକାକୁ କହିଥିଲା। ରାସ୍ତା ଉପରେ ଅଟୋ ରଖି ମହିପୁରଠାରେ ଘର ଭଡ଼ା ବୁଝିବାକୁ ମାନସ ଯାଇଥିଲା, କିନ୍ତୁ ମାନସ ଆଉ ଫେରିନଥିଲା। ରାସ୍ତା ଉପରେ ଅଟୋରେ ବସିଥିବା ପ୍ରେମିକା ଅପେକ୍ଷା କରି ପ୍ରେମିକକୁ ଘଣ୍ଟାଘଣ୍ଟା ଧରି ଜଗି ବସିଥିଲା। ଏହାର କିଛି ସମୟ ପରେ ଅଟୋ ଡ୍ରାଇଭର୍‌ ଫୋନ୍‌ କରି ଗାଁରେ କହିବା ପରେ ଗ୍ରାମବାସୀମାନେ ମହୀପୁରଠାରେ ପହଞ୍ଚି ଯୁବତୀଙ୍କୁ ଘରକୁ ନେଇଥିଲେ। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୀଡ଼ିତା ପ୍ରଥମେ ନୂଆଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଏହି ଘଟଣା ମୋ ଅଞ୍ଚଳର ନୁହେଁ, ଓଡ଼ଗାଁ ଥାନା ଅଞ୍ଚଳର ବୋଲି କହିଥିଲେ। ସେଠାରୁ ଗ୍ରାମବାସୀମାନେ ଓଡ଼ଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ନେଇ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଶରଣକୁଳ ଏସଡିପିଓ ନାରାୟଣ ଚନ୍ଦ୍ର ବାରିକ ଏହାର ତଦନ୍ତ କରିବେ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର