ନୟାଗଡ଼: ବସ ଧକ୍କାରେ ୪ ବର୍ଷର ଶିଶୁ ମୃତ, ରାସ୍ତାରୋକ ଯୋଗୁଁ ଯାତାୟତ ପ୍ରଭାବିତ

ନୟାଗଡ଼: ବସ ଧକ୍କାରେ ଶନିବାର ଅପରାହ୍ଣରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମର ରୂପ ବେହେରାଙ୍କ ପୁଅ ଚନ୍ଦନ ଘର ସମ୍ମୁଖରେ ଖେଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଭୁବନେଶ୍ୱର ଯାଉଥିବା ବସ ‘ବାଲୁଙ୍କେଶ୍ୱର’ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଚନ୍ଦନର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ବସଟି ପରେ ବୋଲଗଡ଼ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା।

ଘଟଣା ପରେ ସ୍ଥାନୀୟ ଲୋକେ ଶିଶୁଟିର ମୃତଦେହକୁ ରଖି ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କ୍ରମାଙ୍କ ୫୭କୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କ୍ଷତିପୂରଣ ଓ ବସ୍‌ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୂଚନା ପାଇଁ ଏସଡିପିଓ ଜୟରାମ ସତପଥୀ ଓ ଆଇଆଇସି ସରୋଜ କୁମାର ସାହୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପାଇଁ ପୁଲିସ ଚନ୍ଦନର ମୃତ ଦେହକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଗ୍ରାମବାସୀ ରାସ୍ତାରୋକ ଜାରି ରଖିଛନ୍ତି। ଫଳରେ ଶହ ଶହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର