ପଦାରେ ପଡ଼ିଲା ନୟାଗଡ଼ ବିଜେପିର ଗୋଷ୍ଠୀ କନ୍ଦଳ : ବିଜେପି ସଭା ପାଲଟିଲା ରଣକ୍ଷେତ୍ର

ନୟାଗଡ଼ : ମୋଦି ସରକାରଙ୍କ ଚାରିବର୍ଷ ପୂର୍ତ୍ତୀ ଉପଲକ୍ଷେ ନୟାଗଡ଼ ଜିଲ୍ଲାରେ ବିଜେପି ପକ୍ଷରୁ ହୋଟେଲ ଗୋପୀନାଥ ପରିସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ଆଜି ରଣକ୍ଷେତ୍ର ପାଲଟିଛି। ଦଳ ସଫଳତାର ଗାଥା ବଖାଣିବ କ’ଣ ଓଲଟି ଦଳୀୟ କନ୍ଦଳ ଭରାସଭାରେ ପଦାରେ ପଡ଼ିଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀ ନେତ୍ରୀ ଇରାନୀ ରାୟଙ୍କ ମଧ୍ୟରେ ଥିବା ବିବାଦ ଆଜି ତୀବ୍ର ରୂପ ଧାରଣ କରିଥିଲା। ଆକ୍ରମଣରେ ଇରାନୀଙ୍କ ସମର୍ଥକ ଶିବଶଙ୍କର ମହାନ୍ତି ଓ ରବି ନାରାୟଣ ମହାନ୍ତି ଲହୁଲୁହାଣ ହୋଇଛନ୍ତି। ଯୁବମୋର୍ଚା ସଭାପତି ସନ୍ତୋଷ ଓ ତାଙ୍କ ସମର୍ଥକଙ୍କ ଲୁହା ରଡ୍‌ ଆକ୍ରମଣରେ ସେମାନଙ୍କ ମୁଣ୍ଡ ଫାଟିଥିବା ଉଭୟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏଥିନେଇ ତିନିଟି ପୃଥକ୍‌ ମାମଲା ରୁଜୁ କରିଛି।

ଆଜି ହୋଟୋଲ ଗୋପୀନାଥରେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତ୍ରୀ ଇରାନୀ ରାୟ, ଜିଲ୍ଲା ସଭାପତି ସନ୍ନ୍ୟାସୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ସମ୍ମିଳନୀ ଚାଲିଥିଲା। ଏଥିରେ ‘ବିଜେପି ବାର୍ତ୍ତା’ର ମୁଖ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମୀଧର ତ୍ରିପାଠୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ସଭାପତି ଯୁଗଳ ଚରଣ ଭଟ୍ଟ, ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ଚାଲିଥିବା ବେଳେ ଦିନ ୧୨ଟା ସମୟରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ଯୁବ ବିଜେପି ସଂଗଠକ ସ୍ନେହରଞ୍ଜନ ଦାସ ଜୟସିଂହ, କୃଷକ ମୋର୍ଚ୍ଚା ନେତା ପ୍ରଦୀପ ଜେନା ପ୍ରମୁଖ ସଭାସ୍ଥଳରେ ହଠାତ୍‌ ପହଞ୍ଚିଥିଲେ। ମଞ୍ଚରେ ମରାଯାଇଥିବା ବ୍ୟାନର୍‌ରେ କାହିଁକି ଇରାନୀ ରାୟଙ୍କ ଫଟୋ ରହିଛି ବୋଲି ପ୍ରତିବାଦ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ ଯୁବ ମୋର୍ଚ୍ଚା ସଭାପତି ମଞ୍ଚରେ ପଡ଼ିଥିବା ଚେୟାର୍‌ରେ ଯାଇ କିଛି ସମୟ ବସିବା ସହ ହଠାତ ଉଠି ଯାଇ ବ୍ୟାନର୍‌କୁ ଚିରି ଫିଙ୍ଗି ଦେଇଥିଲେ। ଏହାକୁ ନେଇ ଇରାନୀଙ୍କ ସମର୍ଥକ ଓ ସନ୍ତୋଷ, ସ୍ନେହରଞ୍ଜନ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ମୁଥ ମରାମରି, ଠେଲାପେଲା ହୋଇଥିଲା।

ଏହା ପରେ ଦିନ ତିନିଟାରେ ଦଳୀୟ କାର୍ଯ୍ୟକ୍ରମ ସମୀକ୍ଷା ନେଇ ଆଉ ଏକ ସଭା ହୋଇଥିଲା। ଏଥିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ଉପସଭାପତି ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। କିନ୍ତୁ ଏହାକୁ ଖାତିର୍‌ ନକରି ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା। ଯେଉଁଥିରେ ଇରାନୀଙ୍କ ସମର୍ଥକଙ୍କ ମୁଣ୍ଡ ଫାଟିଥିଲା। ବହୁଦିନ ହେବ ଜିଲ୍ଲା ବିଜେପିର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ରହିଥିବା ଅସନ୍ତୋଷର ଆଜି ବିଷ୍ଫୋରଣ ହେଲା ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର