ଖଣ୍ଡପଡ଼ା ବିଜେଡିରେ ଫାଟ

ବିଧାୟକ ଓ ବ୍ଲକ୍‌ ଅଧ୍ୟକ୍ଷଙ୍କ ମଧ୍ୟରେ ଦୂରତା ବଢ଼ିଲା

ଖଣ୍ଡପଡ଼ା : ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ଭାପୁର ବ୍ଲକ୍‌ ବିଜେଡି ସଭାପତି ଗୟାଧର ପରିଡ଼ାଙ୍କ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। ଖଣ୍ଡପଡ଼ାସ୍ଥିତ ବିଧାୟକଙ୍କ ବାସଭବନରେ ଆଜି ହୋଇଥିବା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ଦୁଇ ନେତା ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିବା ସହ ଏହା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ପରେ ଗୟାଧରଙ୍କ ଗୋଷ୍ଠୀ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‌ର ସମସ୍ତ ଦଳୀୟ ସମର୍ଥିତ ସରପଂଚ, ସମିତି ସଭ୍ୟ ଓ କର୍ମୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ ଲେନିନ୍‌ ମହାନ୍ତି ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରୁ ଶ୍ରୀ ପଟ୍ଟନାୟକ କହିଲେ, ସେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଭାପୁର ବ୍ଲକ୍‌ର ସମସ୍ତ ଦଳୀୟ ସଂଗଠନ ଓ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟ ପାଇଁ ଗୟାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଆସୁଛନ୍ତି। କିନ୍ତୁ ଦୁଇ ଦିନ ତଳେ ଗୟା ବାବୁ ତାଙ୍କୁ ନ ଜଣାଇ ୪୦ଟି ବୋଲେରୋରେ ଦଳୀୟ କର୍ମୀମାନଙ୍କୁ ନେଇ ପୁରୀ ଲୋକନାଥ ପୀଠକୁ ଯାଇଥିଲେ ଓ ସେମାନଙ୍କୁ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପ୍ରବର୍ତାଇଥିଲେ ବୋଲି ଅଭିଯୋଗ କରିଥିଲେ।

ଅନ୍ୟ ପକ୍ଷରେ ଶ୍ରୀ ପରିଡ଼ା କହିଲେ, ନିର୍ବାଚନ ଦିନ ଠାରୁ ବିଧାୟକଙ୍କ ଠାରୁ ସେ ଟଙ୍କାଟିଏ ନେଇ ନାହାନ୍ତି କି କୌଣସି ବିଶ୍ୱାସଘାତକତା କରି ନାହାନ୍ତି। ଏପରିକି କର୍ମୀମାନଙ୍କୁ ନେଇ ଭୋଜିଭାତ କରିବା ଓ ବୁଲାଇ ନେବା ତାଙ୍କ ପାଇଁ ସାଂଗଠନିକ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ। ସେ ଆଜି ପର୍ଯ୍ୟନ୍ତ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । ଆଗକୁ ଦଳ ଯାହାକୁ ଖଣ୍ଡପଡ଼ାରେ ପ୍ରାର୍ଥୀ କରିବ ତାକୁ ସେ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ବିଧାୟକ ଶ୍ରୀ ପଟ୍ଟନାୟକ ଗୟାଧରଙ୍କ ବିରୋଧରେ ପାଲଟା ଅଭିଯୋଗ କରି କହିଲେ, ଅତୀତରେ ତାଙ୍କ ମାଆ ତଥା ପୂର୍ବତନ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସମୟରେ ସେ ବିଶ୍ୱାସଘାତକତା ଓ ବେଇମାନୀ କରିଥିଲେ। ଗୟା ବାବୁ ନିଜେ ବିଧାୟକ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଓ ସଂଗଠନକୁ ଭାଗ ଭାଗ କରୁଛନ୍ତି ।

କେବଳ ଗୟାଧର ନୁହନ୍ତି, ଭାପୁର ଦଳୀୟ କର୍ମୀ ଓ ବିଧାୟକଙ୍କ ଭିତରେ ମଧ୍ୟ କଥା କଟାକଟି ହୋଇଥିଲା। ଏହା ପରେ ଗୟାଧରଙ୍କ ସମର୍ଥକମାନେ ବିଧାୟକଙ୍କ ବାସଭବନରେ ପ୍ରସ୍ତୁତ ହୋଇଥିବା ଭୋଜି ନ ଖାଇ ଚାଲି ଯାଇଥିଲେ। ନିର୍ବାଚନ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷେକ ଶ୍ରୀ ମହାନ୍ତି କର୍ମୀମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବିଧାୟକ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଭାପୁର ବ୍ଲକ୍‌ରେ କୌଣସି ଦଳୀୟ ସଭାପତି କି ପଂଚାୟତ ସଭାପତି ନାହାନ୍ତି ବୋଲି କହିବା ସହ ଆଜି ଠାରୁ ପଂଚାୟତର ଦଳୀୟ କୋର୍‌ କମିଟିର ସଦସ୍ୟମାନଙ୍କୁ ନେଇ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ଏହି ଘଟଣା ଆଗାମୀ ଦିନରେ ବିଜେଡ଼ି ପାଇଁ ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର