କାଳିଆ ସାର୍‌ଙ୍କ ହୋଟେଲ୍‌ ଉପରେ ୯ଟି ବିଭାଗର ଚଢ଼ଉ

ନୟାଗଡ଼ କଲେଜ ଛାତ୍ରୀ ଯୌନ କେଳେଙ୍କାରୀ

ନୟାଗଡ଼ : ନୟାଗଡ଼ କଲେଜ ଛାତ୍ରୀ ଯୌନ କେଳେଙ୍କାରୀ ଘଟଣାରେ ଅଭିଯୁକ୍ତ କାଳିଆ ସାର୍‌ ଓରଫ ସୂର୍ଯ୍ୟମଣି ପ୍ରଧାନଙ୍କ ହୋଟେଲ ଓ କ୍ୱାର୍ଟର୍ସରେ ଆଜି ଦିନତମାମ୍‌ ଚଢ଼ଉ କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବିଭିନ୍ନ ବିଭାଗର ୯ଟି ଟିମ୍‌ ଆଜି କାଳିଆଙ୍କ ନାଁରେ ନୟାଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ବାରମାସୀ ଦଣ୍ଡାରେ ଥିବା ହୋଟେଲ୍‌ କୋୟେନାରେ ଅଚାନକ ଚଢ଼ଉ କରିଛନ୍ତି। ହୋଟେଲ୍‌ରୁ ବିପୁଳ ବେଆଇନ୍‌ ବିଦେଶୀ ମଦ ଓ ବିୟର ଜବତ କରାଯାଇଛି। ସେହିଭଳି ଏଠାରେ ଥିବା ରେଷ୍ଟୁରାଣ୍ଟ୍‌ରୁ ରୋଷେଇରେ ବ୍ୟବହୃତ ହେଉଥିବା ବେଆଇନ୍‌ ସିଲିଣ୍ଡର ବି ଜବତ କରାଯାଇଛି।

ଯାଞ୍ଚ ପରେ ରେଷ୍ଟୁରାଣ୍ଟଟି ବିନା ଲାଇସେନ୍‌ସରେ ଚାଲୁଥିବା ଓ ଏଠାକୁ ଘରୋଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ଜଣାପଡ଼ିଛି। ହୋଟେଲ୍‌ଟି ସଂପୂର୍ଣ୍ଣ ବେଆଇନ୍‌ ଭାବେ ଚାଲୁଥିବା ଯାଞ୍ଚ ପରେ ଜଣାପଡ଼ିବାରୁ ଏହାକୁ ସିଲ୍‌ କରି ଦିଆଯାଇଛି। ବେଆଇନ୍‌ ମଦ କାରବାର ଅଭିଯୋଗରେ କାଳିଆ ସାର୍‌ଙ୍କ ଭାଇ ଜଳିଆ ଓରଫ୍‌ ଚନ୍ଦ୍ରମଣି ପ୍ରଧାନଙ୍କୁ ଆଜି ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକ କହିଛନ୍ତି। ସେପଟେ ଆଜି ସଂଧ୍ୟାରେ କାଳିଆ ରହୁଥିବା କ୍ୱାର୍ଟର୍ସରେ ବି ପୁଲିସ ଅଚାନକ ଚଢ଼ଉ କରିଛି।

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ତଥା ନୟାଗଡ଼ କଲେଜ ଛାତ୍ରୀ ଯୌନ କେଳେଙ୍କାରୀ ଘଟଣାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପିଇଟି କାଳିଆ ସାର୍‌ଙ୍କ ସଂପୃକ୍ତି ଅଭିଯୋଗରେ ପୁଲିସ ଗତକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫର ଦିନକ ପରେ ଆଜି ତାଙ୍କ ହୋଟେଲ୍‌ରେ ଚଢ଼ଉ କରାଯାଇଥିଲା। ରାଜସ୍ୱ ବିଭାଗ, ପୁଲିସ, ଅବକାରୀ ବିଭାଗ, ବିଦ୍ୟୁତ୍‌ ବିଭାଗ, ପୂର୍ତ ବିଭାଗ, ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ, ବନ ବିଭାଗ, ଏନ୍‌ଏସି, ଏପରି ୯ଟି ବିଭାଗର ୯ଟି ଟିମ୍‌ ଆଜି ଏକକାଳୀନ ନୟାଗଡ଼ ଜିଲ୍ଲାର ଏହି ବଡ଼ ହୋଟେଲ୍‌ରେ ଅପରାହ୍ନ ପ୍ରାୟ ଗୋଟାଏରେ ମିଳିତ ଚଢ଼ଉ କରିଥିଲେ।

ପୀଡ଼ିତାଙ୍କ ଡାକ୍ତରୀମାଇନା

କାଳିଆ ସାର୍‌ଙ୍କ ଯୌନ କେଳେଙ୍କାରୀ ଘଟଣାର ପୀଡ଼ିତା ଛାତ୍ରୀଙ୍କ ଆଜି ଡାକ୍ତରୀମାଇନା କରାଯାଇଛି। ଅପରାହ୍ନରେ ନୟାଗଡ଼ ଟାଉନ୍‌ ଥାନା ପୁଲିସ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି। ଡାକ୍ତରୀମାଇନା ଶେଷ ପରେ ପୁଲିସ ପୁନର୍ବାର ତାଙ୍କୁ କଡ଼ା ସୁରକ୍ଷା ଭିତରେ ଥାନାକୁ ନେଇଛି।

ସମ୍ବନ୍ଧିତ ଖବର