ଭତ୍ତା ପାଇଁ ବୃଦ୍ଧା ମୃତ୍ୟୁ ଘଟଣା:ବାଇକ୍‌ରୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟ!

ଥାନା ଅଧିକାରୀ କହିଲେ ବାଇକ୍‌ରୁ ପଡ଼ି ମୃତ୍ୟୁ ହୋଇନାହିଁ

ନୟାଗଡ଼: ଗତ ନଭେମ୍ବର ୧୫ ତାରିଖରେ ରଣପୁର ବ୍ଲକ୍‌ ଅଧୀନ ପଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଆସିଥିବା ବେଳେ ହିତାଧିକାରୀ ପ୍ରେମଲତା ଲେଙ୍କାଙ୍କ ମୃତ୍ୟୁ ଘଟଣାକୁ ଆଜି ଏକ ମାସ ହେଉଛି। ଏହି ଘଟଣା ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେବା ପରେ ବିଧାନସଭା‌ରେ ଝଡ଼ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଇତି ମଧ୍ୟରେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ) ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକା‌ରଙ୍କ ଏସ୍ଏସ୍ଇପିଡି ବିଭାଗକୁ ତଦନ୍ତ ରିପୋର୍ଟ ପଠାଇଛନ୍ତି, ଯାହା ସମ୍ବାଦର ହସ୍ତଗତ ହୋଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଯାଇଥିବା ଏହି ରିପୋର୍ଟରେ ଡାହା ମିଛ କଥା ଲେଖାଯାଇଥିବା ଖୋଦ୍ ତଦନ୍ତ ରିପୋର୍ଟ ହିଁ ବୟାନ କରୁଛି। ସମସ୍ତଙ୍କ ଆଖି ଆଗରେ ପ୍ରେମଲତାଙ୍କର ପଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ମୃତ୍ୟୁ ଘଟିଥିଲା। ଭତ୍ତା ପାଇଁ ଖରାରେ ଦୀର୍ଘ ସମୟ ଅପେକ୍ଷା କରି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା‌ ସେତେବେ‌‌‌ଳେ ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଥିଲେ। ହେଲେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ବିଭାଗରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ପ୍ରେମଲତା ସେହି ଦିନ ନିଜ ସାବତ ପୁଅ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବା ପାଇଁ ଆସିଥି‌‌ଲେ। ହେଲେ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିନଥିବାରୁ ପ୍ରେମଲତା ନିଜ ପୁଅର ଟିଭିଏସ୍ ବାଇକ୍‌ରେ କୁଆଡ଼େ ଘରକୁ ଫେରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫ ମିଟର୍‌ ଦୂରରେ ବାଇକ୍‌ରୁ ଖସି ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଯଦି ପ୍ରେମଲତାଙ୍କର ରାସ୍ତାରେ ମୃତ୍ୟୁ ଘଟିଲା, ତେବେ ତାଙ୍କ ଶବ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇ କିପରି ଅନ୍ୟ ଭତ୍ତା ହିତାଧିକାରୀ ହୋହାଲ୍ଲା କରୁଥି‌‌ଲେ ବୋଲି ପ୍ରଶ୍ନ କରିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି, ତାଙ୍କ ଶବ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣି କିଛି ଲୋକ ହୋହାଲ୍ଲା କରିଥି‌ଲେ। ରଣପୁର ପୁଲିସ୍‌ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ହେଲେ ରଣପୁର ଆଇଆଇସି ଛତ୍ରପତି କଅଁରଙ୍କୁ ଉକ୍ତ ବୃଦ୍ଧାଙ୍କ ମୃତ୍ୟୁ ବାବଦରେ ପଚାରିବାରୁ ସେ କହିଛନ୍ତି, ପ୍ରେମଲତାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବସିଥିବା ବେଳେ ଟଳିପଡ଼ିଥିଲେ। ଏହାକୁ ନେଇ କିଛି ଲୋକ ସେଠାରେ ହୋହାଲ୍ଲା କରିବାରୁ ପୁଲିସ୍‌ ପହଞ୍ଚି ଶବ ଜବତ କରିଥିଲା। ବାଇକରୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ଆଇଆଇସି ପ୍ରତ୍ୟାଖାନ କରିଛନ୍ତି। ପୁଲିସର ମତକୁ ତର୍ଜମା କଲେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଏସ୍ଏସ୍ଇପିଡିକୁ ପଠାଇଥିବା ତଦନ୍ତ ରିପୋର୍ଟ କିଭଳି ମିଥ୍ୟା ଉପରେ ପର୍ଯ୍ୟବସିତ ତାହା ସ୍ପଷ୍ଟ ହୋଇଯାଉଛି। ରଣପୁର ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ, ପଟିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଡିଓ ପ୍ରମୁଖଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏଡ଼ାଇବାକୁ ଏଭଳି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯା‌ଇଥିବା କଥାକୁ ଅସ୍ବୀକାର କରାଯାଇପାରିବ ନାହିଁ। କେବଳ ଏତିକି ନୁହେଁ ବେଶ୍ ନାଟକୀୟ ଢଙ୍ଗରେ ପ୍ରେମଲତାଙ୍କ ପୁଅ ନବକିଶୋରଙ୍କ ଦସ୍ତଖତ କରିଥିବା ରିପୋର୍ଟରେ ବର୍ଣ୍ଣନା କରାଯାଇଛି ଯେ, ଭତ୍ତା ମିଳିବାରେ ବିଳମ୍ବ ହେବାରୁ ମା’ଙ୍କୁ ନେଇ ଘରକୁ ଯିବାକୁ ବାହାରିଲି, ହେଲେ ସେଇ ସମୟରେ ମା‌’ କହିଲେ ମୋର ମୁଣ୍ଡ ବୁଲାଉଛି। ଜଣଙ୍କ ସହାୟତାରେ ମା’ଙ୍କୁ ବାଇକ୍‌ରେ ବସାଇ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦ ଫୁଟ୍ ଆସିବା ପରେ ମା’ ଗାଡ଼ିରୁ ଗଳି ପଡ଼ିଲେ। ମୁଁ ଗାଡ଼ିରୁ ଓହ୍ଲାଇ ପଞ୍ଚାୟତ ପିଅନ ଆଣିଥିବା ପାଣି ପିଆଇ ମା’ଙ୍କ ଚେତା ଫେରାଇବାକୁ ଉଦ୍ୟମ କଲି। ଏଠାରେ ପ୍ରଶ୍ନ ଉଠୁଛି, ପଟିଆ ପଞ୍ଚାୟତ ପିଅନ କ’ଣ ପାଣି ଧରି ରାସ୍ତାରେ ବୁଲୁଥିଲେ କି? କେବଳ ଏତିକି ନୁହେଁ ପଟିଆ ଗ୍ରାମର କିଛି ‌ଲୋକଙ୍କ ଦସ୍ତଖତ ନିଆଯାଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଲେଖାଯାଇଛି, ଯେ ପ୍ରେମଲତାଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ତାଙ୍କ ମୃତ ଦେହକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣି ହୋହାଲ୍ଲା କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ପ୍ରେମଲତାଙ୍କ ପୁଅ ରିପୋର୍ଟରେ କହିଛନ୍ତି, ତାଙ୍କ ମା’ଙ୍କର ମୁଣ୍ଡ ବୁଲାଇବାରୁ ଗାଡ଼ିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ତା’ ହେଲେ ସେ ନିଜ ମା’ର ଶବକୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ କାହିଁକି ଆଣି ହୋହାଲ୍ଲା କରୁଥିଲେ?
ଜିଲ୍ଲା ସାମା‌ଜିକ ସୁରକ୍ଷା ଅଧିକାରୀ ତଥା‌ ରଣପୁର ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ନିଜର ମିଥ୍ୟା ରିପୋର୍ଟକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେ ହେଉଛି। ଏପରି ଅମାନବୀୟ କଥା ଲେଖି ପଟିଆ ଗ୍ରାମର କିଛି ଭତ୍ତା ହିତାଧିକାରୀଙ୍କ ଟିପ ଚିହ୍ନ ନେଇ ପ୍ରସ୍ତୁତ କରିଥିବା ତଦନ୍ତ ରିପୋର୍ଟରୁ ବାରି ହୋଇଯାଉଛି। ଏଥିରେ ଲେଖାଯାଇଛି, ଆମ୍ଭେ ନିମ୍ନସ୍ବାକ୍ଷରକାରୀଗଣ ଗତ ୧୫ ତାରିଖରେ ପଞ୍ଚାୟତ କା‌ର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଉଥିବା‌ ବେଳେ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ନିକଟରେ ପ୍ରେମଲତ‌ା ରାସ୍ତା‌ ଉପରେ ପଡ଼ିଥିବ‌ା ଦେଖିଲୁ। ହେଲେ ଆମେ ସେ ସ୍ଥାନରୁ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଆଣିବା ପାଇଁ ଚାଲିଗଲୁ। ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ନିଜ ଗାଁ ଲୋକର ଶବ ପଡ଼ିଥିବା ଦେଖି କେହି କ’ଣ ଏମିତି ଚାଲିଯାଏ। ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ମନଗଢା ରିପୋର୍ଟ ପ୍ରଦାନ କରି ଖସିଯିବାକୁ ଉଦ୍ୟମ କରାଯାଇଛି। ବରିଷ୍ଠ ନାଗରିକଙ୍କୁ ସରକା‌ର ସମସ୍ତ ସୁବିଧା ସୁଯୋଗ‌, ସମ୍ମାନ ଦେବାକୁ ନିୟମ କରୁଥିବା ବେଳେ ମାତ୍ର ୩ ଶହ ଭତ୍ତା ଟଙ୍କା ପାଇଁ ଜଣେ ବୃଦ୍ଧା ଆସି କିଭଳି ଜୀବନ ହାରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ତାଙ୍କ ମୃତ୍ୟୁରେ କିଭଳି ମିଥ୍ୟାର ଲେପ ‌ବୋଳି ନିଜ ଦାୟିତ୍ବ ଖସାଇବାକୁ ଉଦ୍ୟମ କରୁଛି, ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ିଛି। ଅତ୍ୟନ୍ତ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ କ୍ଷେତ୍ରରେ ଘରେ ନେଇ ଭତ୍ତା ରାଶି ଦେବାର ବ୍ୟବସ୍ଥା ଥିବା ବେଳେ ରଣପୁରରେ କାହିଁକି ଏହି ନିୟମକୁ ଅଣ‌‌ଦେଖା କରାଯାଇଥିଲା? ରଣପୁର ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ, ପଟିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିଭଳି ନିଜ କର୍ତ୍ତବ୍ୟ ଭୁଲିଗଲେ? ଭତ୍ତା ନେବାକୁ ଆସୁଥିବା ଲୋକଙ୍କ ବୟସ ବିଷୟରେ କ’ଣ ଏମାନେ ସଚେତନ ନୁହିଁନ୍ତି। ଏହି ଘଟଣା ନେଇ ନୟାଗଡ଼ର ମାନବାଧିକାର କର୍ମୀ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ କେନ୍ଦ୍ର ମାନବାଧିକାର କମିସନର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ବୃଦ୍ଧାଙ୍କ ମୃତ୍ୟୁ ପାଇଁ ଦାୟୀ ସରକାରୀ କର୍ମଚାରୀଙ୍କ ବି‌‌ରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର