ଭାପୁରରେ ଧାନ ମଣ୍ତି ଖୋଲୁନି:ଦଲାଲମାନେ ୧୩ ଶହରେ ଧାନ କିଣି ନେଉଛନ୍ତି

ଭାପୁର: ବର୍ତ୍ତମାନ ଧାନ ଅମଳ ସମୟରେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ଧାନ ମଣ୍ତି ଖୋଲିବାରେ ବିଳମ୍ବ ହେଉଥିବାରୁ ଦଲାଲମାନେ କୃଷକମାନଙ୍କ ଖଳାବାଡ଼ିରୁ ରାତାରାତି ଟ୍ରକ୍‌ ଲଗାଇ କ୍ବିଂଟାଲ୍‌ ପିଛା ୧୩ ଶହ ଟଙ୍କାରେ ଧାନ କିଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅଭାବୀ ଧାନ ବିକ୍ରିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ। ନୟାଗଡ଼ ଜିଲ୍ଲା ଯୋଗାଣ ବିଭାଗର ଖାମ୍‌ଖିଆଲି ମନୋଭାବ ଯୋଗୁଁ ଏ ଅଂଚଳରେ ଧାନ ମଣ୍ତି ଖୋଲୁନାହିଁ ବୋଲି ଆଲୋଚନା ହେଉଛି।
ତିତ୍‌ଲି ବାତ୍ୟାର ପ୍ରଭାବ ଏବଂ ଧାନରେ ‌ପୋକ ଲାଗିବା ପରେ ଚାଷୀ ବହୁ କଷ୍ଟରେ ଧାନ ଅମଳ କରିଥିବା ବେଳେ, ଧାନ ମଣ୍ଡି ଖୋଲୁ ନଥିବାରୁ ଦଲାଲ୍‌ମାନେ ଫାଇଦା ନେଉଛନ୍ତି। ରାତି ଅଧରେ କୃଷକମାନେ ଖଳାରେ ବେଙ୍ଗଳା ପକାଉଥିବା ସମୟରେ ସେହି ଖଳାରୁ କ୍ବିଂଟାଲ ପିଛା ୧୩ ଶହ ଟଙ୍କାରେ ପ୍ରତିଦିନ ଧାନ କିଣି ବୋହି ନେଉଛନ୍ତି। ଏପଟେ ସରକାର ଚାଷୀମାନଙ୍କୁ କ୍ବିଂଟାଲ୍ ପିଛା ୧୭ ଶହ ୫୦ ଟଙ୍କାରେ ସିଧାସଳଖ ସମବାୟ ସମିତି ମାଧ୍ୟମରେ ମଣ୍ତି ଖୋଲି ଧାନ କିଣିବା ବ୍ୟବସ୍ଥା କରିଥିବା ବେଳେ ବର୍ତ୍ତମାନ ମଧ୍ୟରେ ଧାନ ମଣ୍ତି ଖୋଲିଲା ନାହିଁ। ଭାପୁର ବ୍ଲକ୍‌ରେ ୧୬ ଟି ମଣ୍ତି ଖୋଲିବା ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏବେ ଯାଏଁ ମଣ୍ଡି ଖୋଲୁ ନଥିବାରୁ ଚାଷୀ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର