ଦୁଷ୍କର୍ମ ଘଟଣା:ଏସ୍‌ପିଙ୍କୁ ଫେରାଦ ହେଲେ ନାବାଳିକା

ନୂଆଗାଁ: ନୟାଗଡ଼ ଜିଲ୍ଲାରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ବଢ଼ିଚାଲିଥିବା ବେଳେ ଆଜି ଜଣେ ୧୩ ବର୍ଷର ନାବାଳିକା ଏବଂ ଜଣେ ଯୁବତୀ ନ୍ୟାୟ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ ଅଂଚଳରେ ଗୋଟିଏ ନୁହେଁ ଦୁଇ ଦୁଇଟି ଦୁଷ୍କର୍ମ ଭଳି ଅପରାଧ ଘଟିଥିବା ଜଣାପଡ଼ିଛି। ଗୋଟିଏ ଘଟଣା ନୂଆଗାଁ ଥାନା ଅଂଚଳର ହୋଇଥିବା ବେଳେ ଅନ୍ୟଟି ଓଡ଼ଗାଁ ଥାନା ଅଂଚଳର ବୋଲି ଜଣାପଡିଛି। ଦୁଇଟି ଘଟଣା କିଛିଦିନ ତଳେ ଘଟିଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ ନକରି ଘଣ୍ଟ ଘୋଡାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ନୂଆଗାଁ ଥାନା ମାଈଛେଳି ପଞ୍ଚାୟତ ମକ୍କାଖାଲ ଗାଁର ଜଣେ ୧୩ ବର୍ଷ ବୟସର ନାବାଳିକାକୁ ସେହି ଗ୍ରାମର ଦୁର୍ଯ୍ୟୋଧନ ଦାଶ ଦୁଷ୍କର୍ମ କରି ଫେରାର୍‌ ହୋଇଯାଇଛି। ସେହିପରି ଗାତେରୀ ପଞ୍ଚାୟତ ସୁରୁକାବାରୀ ଗ୍ରାମର ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ମାଈଛେଳି ପଞ୍ଚାୟତ କୃର୍ଷ୍ଣଚନ୍ଦ୍ରପୁର ଗ୍ରାମର ମାନସ ବେହେରା ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା। ନୂଆଗାଁ ଏବଂ ଓଡ଼ଗାଁ ପୋଲିସ ମାମଲା ରୁଜୁ କରିସାରି ଚାପର ବଶବର୍ତ୍ତୀ ହୋଇ ଆସାମୀମାନଙ୍କୁ ଗିରଫ ନକରି ଚୁପ୍‌ ବସିଥିବା ଜଣାପଡ଼ିଛି। ଏହାଦ୍ୱାରା ନାବାଳିକାମାନେ ଦୁଷ୍କର୍ମର ଶିକାର ହୋଇ ବାହାରକୁ ବାହାରି ପାରୁନାହାନ୍ତି। ପୋଲିସର ନିରବତା ଯୋଗୁଁ ଅନେକ ସମୟରେ ପୀଡ଼ିତାମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ତଳେ ବଡଗୋଠ ପଞ୍ଚାୟତ ରାଧାନାଥପୁର ଗ୍ରାମର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହେବା ପରେ ଲୋକଲଜ୍ଜା ସହିନପାରି ବିଷ ଖାଇ ଆତ୍ମହତ୍ୟା କରିଥିଲା। ସେହିପରି ମକାଖାଲ ଗାଁର ନାବାଳିକା ଏବଂ ସୁରୁକାବାରୀ ଗ୍ରାମର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ ସୁଦ୍ଧା ପୋଲିସ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ।

ଅଭିଯୋଗ ପାଇବା ପରେ ପୋଲିସ କାଁ ଭାଁ ଥରେ ଦୁଇଥର ବୁଲି ଆସି ଚୁପ୍‌ ବସିପଡିଥିବା ପରିବାର ଲୋକେ କହିଛନ୍ତି। ଦୁଇ ପୀଡ଼ିତା ବାରମ୍ବାର ଥାନାକୁ ଦୌଡ଼ି ଦୋଡ଼ି ନିରାଶ ହେବା ପରେ ଆଜି ପୀଡିତାମାନେ ନିଜ ସଂପର୍କିୟଙ୍କ ସହିତ ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ଦୁଇଜଣ ଅଭିଯୋଗ କରି କହିଛନ୍ତି ନୂଆଗାଁ ଏବଂ ଓଡ଼ଗାଁ ପୋଲିସ ଆମ ଅଭିଯୋଗ ପାଇବା ପରେ ଅପରାଧୀମାନଙ୍କୁ ଧରିବାକୁ ସେମିତି କିଛି ପଦକ୍ଷେପ ନେଇନାହାନ୍ତି। ପୋଲିସର ନିରବତା ପାଇଁ ଆମେ ନ୍ୟାୟ ପାଇବାରୁ ବଂଚିତ ହେଉଛୁ। ତେଣୁ ଏକ ସପ୍ତାହ ମଧ୍ୟରେ ଅପରାଧୀମାନଙ୍କୁ ଗିରଫ କରାନଗଲେ ଆମେ ବାଧ୍ୟ ହୋଇ ଆପଣଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବୁ। ଏ ନେଇ ନୟାଗଡ଼ ଏସ୍‌ପି ଆଶିଷ କୁମାର ସିଂ, ଆମେ ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖିଛୁ ଏବଂ ତୁରନ୍ତ ଧରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର