ସ୍କୁଲ୍‌ ରାତ୍ରୀ ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା :ଘଣ୍ଟ ଘୋଡ଼ାଉଛି ଓଡ଼ଗାଁ ପୁଲିସ୍‌

oପରିବାରବର୍ଗଙ୍କ ହତ୍ୟା ଅଭିଯୋଗ oମା‌େସ ପରେ ବି ଆଗଉନି ତଦନ୍ତ

ନୟାଗଡ଼: ଗତ ଅକ୍ଟୋବର ୩ ତାରିଖରେ ଓଡ଼ଗାଁ ଆଦର୍ଶ ବିଦ୍ୟାଳୟର ରାତ୍ରୀ ଜଗୁଆଳ ବେଣୁଧର ନାୟକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ଏକ ମାସ ବିତିଛି। ହେଲେ ଏହା ହତ୍ୟା ନା ଦୁର୍ଘଟଣାଜନୀତ ମୃତ୍ୟୁ, ଏହି ମାମଲା ଉପରୁ ପରଦା ହଟାଇବାରେ ଓଡ଼ଗାଁ ପୁଲିସ ଅବହେଳା କରୁଥିବା ବେଣୁଧରଙ୍କ ପରିବାର ଲୋ‌େକ ଅଭିଯୋଗ କରିଛନ୍ତି। ଏକ ଜମି କିଣାବିକା ବିବାଦକୁ ନେଇ ସ୍ଥାନୀୟ କୈବଲ୍ୟପୁରର ବେଣୁ ନାହାକଙ୍କ ସହ ମୃତ ବେଣୁଧରଙ୍କର ବିବାଦ ଥିବା ବେଳେ ଓଡ଼ଗାଁ ପୁଲିସ୍‌ ଏହି ଦିଗକୁ ଅଣଦେଖା କରୁଛି। ମୃତ ବେଣୁଧରଙ୍କ ପୁଅ ଗଙ୍ଗାଧରଙ୍କ କହିବାନୁଯାୟୀ, ସବୁ ଦିନ ଭଳି ତାଙ୍କ ବାପା ଅକ୍ଟୋବର ୨ ତାରିଖରେ ମଧ୍ୟ ଓଡ଼ଗଁା ଆଦର୍ଶ ବିଦ୍ୟାଳୟକୁ ରାତ୍ରୀ ଜଗୁଆଳ ଭାବେ ଯାଇଥିଲେ। କିନ୍ତୁ ସକାଳୁ ସେ ଘରକୁ ଫେରିନଥିଲେ। ସ୍କୁଲ୍‌ ନିକଟରେ ଖଣି ମଧ୍ୟରେ ଥିବା ଏକ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖିବା ପରେ ଓଡ଼ଗାଁ ଥାନାକୁ ଖବର ଦିଆଯାଇଥିଲା। ଓଡ଼ଗାଁ ପୁଲିସ ଖବର ପାଇ ଘଟଣାସ୍ଥଳାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କିନ୍ତୁ ଓଡ଼ଗାଁ ପୁଲିସ୍‌ ଏହାକୁ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଦର୍ଶାଇଥିବା ବେଳେ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣୁ ନଥିବା ଅଭିଯୋଗ ହୋଇଛି। ବେଣୁଧରଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଅର୍ଥାତ ସେପ୍ଟମ୍ବେର ୨୯ ତାରିଖରେ ଏକ ଜମି କିଣାବିକା ବିବାଦକୁ ନେଇ ସ୍ଥାନୀୟ କୈବଲ୍ୟପୁରର ବେଣୁ ନାହାକ, ଜାରିଙ୍ଗି ଗୋଡିସାହି ଗ୍ରାମର ରବି ନାହାକ ଓ ଗୋକୁଳ ନାହାକ ତାଙ୍କୁ ଗାଳି କରିବା ସହ ହତ୍ୟା ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ମଧ୍ୟ ମୃତ ବେଣୁଧରଙ୍କ ପୁତ୍ର ଗଙ୍ଗାଧର ଏଫ୍ଆଇଆର୍‌ରେ ଅଭିଯୋଗ କରିଛନ୍ତି। କିନ୍ତୁ ଓଡ଼ଗାଁ ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ତଦନ୍ତକୁ ବାଟବଣା କରୁଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୁକ୍ତମାନଙ୍କୁ ଥାନାକୁ ଡାକି ପୁଲିସ୍‌ ପଚରାଉଚରା କରୁନଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ମୃତ ବେଣୁଧରଙ୍କ ପୁତ୍ର ଗଙ୍ଗାଧର ଓ କୃଷ୍ଣଚନ୍ଦ୍ର ଭୁବନେଶ୍ବରରେ କାର୍ଯ୍ୟ କରନ୍ତି। ବେଣୁଧର ତାଙ୍କର ଏକ ଜମିକୁ ବିକ୍ରି କରିବାକୁ କୈବଲ୍ୟପୁରର ବେଣୁ ନାହାକଙ୍କ ସହ ବୁଝାମଣା କରିଥିଲେ। ଏ ବାବଦରେ ମଧ୍ୟ ଅଗ୍ରୀମ ଟଙ୍କା ଆଣିଥିଲେ। କିନ୍ତୁ ଜମି ବିକ୍ରି କରିବା କଥା ବେଣୁଧର ନିଜ ଦୁଇ ପୁଅ ଗଙ୍ଗାଧର ଓ କୃଷ୍ଣଚନ୍ଦ୍ରଙ୍କୁ ଜଣାଇ ନଥିଲେ। ଏ ସମ୍ପର୍କରେ ଗଙ୍ଗାଧର ଓ କୃଷ୍ଣଚନ୍ଦ୍ର ଜାଣିବା ପରେ ଜମି ବିକ୍ରି କରିବା ନେଇ ବାପାଙ୍କୁ ବାରଣ କରିଥିଲେ। ବେଣୁଧର ଶେଷରେ ଦୁଇ ପୁଅଙ୍କ କଥା‌େର ରାଜି ହେବା ସହ ଅଗ୍ରୀମ ଟଙ୍କା ଖର୍ଚ୍ଚ କରିଦେଇଥିବାରୁ ଅକଳରେ ପଡ଼ିଥିଲେ। ଏ ନେଇ ଗ୍ରାମର ଭଦ୍ର ଲୋକଙ୍କ ଜରିଆରେ ନିଷ୍ପତ୍ତି ହେବା ପରେ କିଛି ଦିନ ମଧ୍ୟରେ ଟଙ୍କା ଫେରାଇବାକୁ ନିଷ୍ପତ୍ତି ହୋଇଥିବା ଗଙ୍ଗାଧର କହିଛନ୍ତି। କିନ୍ତୁ ଜମି କିଣିବାକୁ ଚାହୁଁଥିବା ବେଣୁ ନାହାକ ଏଥିନେଇ ଅସନ୍ତୋଷ ପ୍ରକାଶ କରିବା ସହ ବେଣୁଧର ନାୟକଙ୍କୁ ହତ୍ୟା ଧମକ ଦେଇଥିଲା।
କିଛି ଦିନ ପରେ ବେଣୁଧରଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର କରାଯାଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ମାମଲା ସମ୍ପର୍କରେ ଓଡ଼ଗାଁ ଥାନାର ତଦନ୍ତକାରୀ ଅଧିକାରୀ ବି.ଡି ବିଶ୍ବାଳଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରୁ ବେଣୁଧର ପାଣିରେ ବୁଡ଼ି ମରିଥିବା ଜଣାଯାଉଛି। ଏଫ୍‌ଆଇଆର୍‌ ଦର୍ଶାଯାଇଥିବା ବ୍ୟକ୍ତିଙ୍କୁ ସମୟ ଅଭାବରୁ ଥାନାକୁ ଡକା ଯାଇପାରିନଥିବା ବେଳେ, ଆସନ୍ତା ଶନିବାର ଦିନ ସେମାନଙ୍କୁ ଥାନାକୁ ଡକାଇ ପଚରାଉଚରା କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର