ଓଡ଼ଗାଁରେ ସିରିଜ୍‌ ବୋମାମାଡ଼ : ଜଣେ ଗୁରୁତର, ତିନି ଯୁବକ ଗିରଫ

ନୟାଗଡ଼/ଓଡ଼ଗାଁ : ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଘନ ଘନ ବୋମା ମାଡ଼ କରି ଆତଙ୍କରାଜ ଖେଳାଇଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ଓଡ଼ଗାଁ ଥାନା ପୁଲିସ ଗିରଫ କରିଛି। ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସ୍‌ପି ଶଶୀଭୂଷଣ ଶତପଥୀ ଘଟଣା ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା୩୦ରେ ଏକ ନମ୍ବର ବିହୀନ ବାଇକ୍‌ରେ ତିନି ଜଣ ଯୁବକ ବଳିଆ ପଣ୍ଡା, ରାମଚନ୍ଦ୍ର ଓତା ଏବଂ ରାଜକିଶୋର ସ୍ୱାଇଁ ଓଡ଼ଗାଁ ରଙ୍ଗଣିପାଟଣା ଗ୍ରାମରେ ପ୍ରବେଶ କରିଥିଲେ। ସେଠାରେ ଥିବା ଏକ ଇଟା ତିଆରି କାରଖାନା ନିକଟରେ ଦୁର୍ବୃତ୍ତମାନେ ଲାଗ ଲାଗ ବୋମା ମାଡ଼ କରି ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଥିଲେ। ସ୍ଥାନୀୟ ଯୁବକ ଦିଲ୍ଲୀପ କୁମାର ପଣ୍ଡା ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବାଉଁଶରେ ଆକ୍ରମଣ କରିଥିଲେ। ପରେ ଏହି ତିନି ଜଣ ଦୁର୍ବୃତ୍ତ କୋମଣ୍ଡ ଗଉଡ଼ ସାହିକୁ ଯାଇ ସେଠାରେ ରାଜକୁମାର ସାହୁ ନାମକ ବ୍ୟକ୍ତିଙ୍କ ଉପରକୁ ବୋମା ପିଙ୍ଗି ଥିଲେ। ରାଜକୁମାର ଆହତ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର