ଚୋର ସନ୍ଦେହରେ ଯୁବକକୁ ପିଟି ପିଟି ମାରିଦେଲେ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋରି କରିବାକୁ ଯାଇଥିବା ସନ୍ଦେହରେ ଗ୍ରାମବାସୀ ଜଣେ ଯୁବକଙ୍କୁ ଅମାନୁଷିିକ ଭାବେ ମାଡ଼ ମାରିବା ପରେ ଆଜି ପୂର୍ବାହ୍ଣରେ ସଂପୃକ୍ତ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକର ନାମ କୃଷ୍ଣ ପ୍ରଧାନ (୩୦)। ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମରେ ନିଜ ପରିବାର ସହ ରହୁଥିଲା।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୁରୁମ ବାଙ୍କତରା ଗ୍ରାମର ଲକ୍ଷ୍ମୀ ନାରାୟଣ ସାହୁଙ୍କ ଘରେ ପଶି କୃଷ୍ଣ ଓ ତାର ୩ ସହଯୋଗୀ ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ପରିବାରର ସଦସ୍ୟମାନେ ଉଠିପଡିବାରୁ ୩ ଜଣ ଯୁବକ କୃଷ୍ଣକୁ କାବୁ କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଅମାନୁଷିକ ଭାବେ କୃଷ୍ଣଙ୍କୁ ଖୁମ୍ବରେ ବାନ୍ଧି ପିଟି ପିଟି ଗୁରୁତର ଆହତ କରିବା ସହିତ ଗାଁ ଦାଣ୍ଡରେ ପିଙ୍ଗି ଦେଇଥିଲେ। ଖବର ପାଇ ଓଡ଼ଗାଁ ପୁଲିସ ଆଜି ସକାଳ ୬ଟାରେ କୃଷ୍ଣଙ୍କୁ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଓ ପରେ ନୟାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ନେବା ବାଟରେ ମୃତ୍ୟୁ ଘଟିଥିଲା। ମୃତ କୃଷ୍ଣଙ୍କ ପିତା ବଂଶୀ ପ୍ରଧାନ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କହିବା ଅନୁଯାୟୀ ତାଙ୍କ ପୁଅ ଚୋର ନୁହେଁ କି ପିଲାଦିନୁ କେବେ କେଉଁଠାରୁ ଚୋରି କରିନାହିଁ। ତେବେ ଗତକାଲି ସକାଳ ୯ଟା ବେଳେ ମଦ୍ୟପାନ କରି ବୋହୂ ଓ ପିଲାମାନଙ୍କୁ ମାଡ଼ମାରି ଘରୁ ଚାଲି ଯାଇଥିଲା। ଆଜି ସକାଳେ ଏହି ଖବର ପାଇବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା ବୋଲି ସେ କହିଛନ୍ତି। ତାଙ୍କ ପୁଅକୁ ଯେଉଁମାନେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଆକୁଳ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ମୃତ କୃଷ୍ଣଙ୍କର ପତ୍ନୀ ଓ ୩ ସନ୍ତାନ ଅଛନ୍ତି। ସେଥିମଧ୍ୟରୁ ଗୋଟିଏ ଶିଶୁ ମାତ୍ର ୧୨ ଦିନର। ବୋହୂ ଓ ୩ ଛୁଆ ଏବେ ଅନାଥ ହୋଇଗଲେ ବୋଲି ପିତା ବଂଶୀ ପ୍ରଧାନ କାନ୍ଦି କାନ୍ଦି କହିଛନ୍ତି। ଏ ସଂପର୍କରେ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କୁ ପଚାରିବାରୁ ମୃତ ଯୁବକଙ୍କ ଶବକୁ ଜବତ କରାଯାଇଛି, ବାସ୍ତବରେ ସେ ଚୋରି କରିବାକୁ ଯାଇଥିଲା କି ନାହିଁ ଓ ତାଙ୍କୁ କେଉଁମାନେ ଆକ୍ରମଣ କରିବା ହେତୁ ତା’ର ମୃତ୍ୟୁ ଘଟିଲା, ସେ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ଘଟଣା ସମଗ୍ର ନୟାଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର