ଏମିତି ବି ଜୀବନ:ଅସହ୍ୟ ଜାଡ଼:ଖୋଲା ଆକାଶ ତଳେ ପରିବାର

ରଣପୁର: ସମଗ୍ର ରାଜ୍ୟ ଅସହ୍ୟ ଜାଡ଼ରେ ଥରି ଉଠୁଥିବା ବେଳେ ବିଶେଷ କରି ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଅତିମାତ୍ରାରେ ଅନୁଭୂତ ହେଉଛି। ତେବେ ରଣପୁର ମହୋତ୍ସବ ଅବସରରେ ବୁଲାବିକାଳି ତଥା ଯାଯାବର ପରିବାରଗୁଡ଼ିକ ଏବେ ଖୋଲା ଆକାଶ ତଳେ ରହୁଥିବା ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ, ଏମାନେ ଶୀତରେ ନାହିଁ ନଥିବା ହଇରାଣ ହେଉଛନ୍ତି। ସୂଚନା ଥାଉକି, ରଣପୁର ମହୋତ୍ସବ–‘ଅର୍ଜୁନ’ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର; ଯଥା: ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, କଲିକତା ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ବୁଲାବିକାଳି ଏଠାକୁ ଆସିଥିବା ଜଣାଯାଇଛି। ଏହି ବୁଲାବିକାଳିମାନେ ଟେରାକୋଟା ପ୍ରସ୍ତୁତି, ଖେଳନା, ଘରକରଣା ସାମଗ୍ରୀ, ପ୍ଲାଷ୍ଟିକ ଜାତୀୟ ସାମଗ୍ରୀ ଆଦି ବିକ୍ରୟ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିବା ବେଳେ ଏଠାରେ ଅନୁଭୂତ ହେଉଥିବା ଅସହ୍ୟ ଶୀତ ସେମାନଙ୍କୁ ବ୍ୟଥିତ କରିପକାଉଛି। ଏମାନଙ୍କ ମଧ୍ୟରୁ ଅନେକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଦିନ ବେଳେ ଭିକ୍ଷା ବୃତ୍ତି କରିବା ସହ ସନ୍ଧ୍ୟାରେ ନିଜ ନିଜର ବେପାର କରୁଥିବା ଜଣାଯାଇଛି।
ଅପରପକ୍ଷେ, ରଣପୁର ଏକ ପାହାଡ଼ଘେରା ଅଞ୍ଚଳ ହୋଇଥିବାରୁ ଏଠାରେ ରାତିରେ ପାରଦ ବହୁ ତଳକୁ ଖସୁଛି। ଫଳରେ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। କିନ୍ତୁ ଏଠାକୁ ଆସିଥିବା ଏହି ବୁଲାବିକାଳିମାନେ ଏବେ କିଏ ଜରି ପାଲ ଟାଣି ତଳେ ରହୁଛି ତ ଆଉ କିଏ ଖୋଲାମେଲାରେ ରାତିରେ ଶୋଉଛନ୍ତି। ତେବେ ସରକାର ଆମମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଆମେ ଏଭଳି ଯାଯାବର ଜୀବନ ବିତାଉଛୁ ବୋଲି ମହାରାଷ୍ଟ୍ର ଅନ୍ତର୍ଗତ ନାଗପୁର ଅଞ୍ଚଳର ରଘୁରାଜ ପ୍ରତାପ ସିଂହ ନାମକ ଜଣେ ବୃଦ୍ଧ ଅତି କ୍ଷୋଭର ସହ କହିଛନ୍ତି। ତେବେ ମାନବିକତା ଦୃଷ୍ଟିକୋଣରୁ ପ୍ରଶାସନ ଏଭଳି ଅସହାୟଙ୍କୁ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର