ବାର୍‌ହା ମାଂସ ଜବତ, ୪ ଗିରଫ

ଓଡ଼ଗାଁ : ଓଡ଼ଗାଁ ବନ ବିଭାଗ ପକ୍ଷରୁ ଗତକାଲି ରାତିରେ ବାଣ୍ଠପୁର ପଞ୍ଚାୟତ ଅଞ୍ଚଳରୁ ୧୫ କେଜି ବାର୍ହା ମାଂସ ଜବତ କରାଯିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ କନ୍ଧନୂଆପଲ୍ଲୀ ଗ୍ରାମର ଗୋବିନ୍ଦ ନାୟକ (୩୧), ତ୍ରିନାଥ ନାୟକ(୨୭), ଯୁଗଳ କିଶୋର ନାୟକ (୩୪) ଓ ନେପାଳ ଗ୍ରାମର ବସନ୍ତ ଜାନୀ (୪୨)। ବାଣ୍ଠପୁର ଗ୍ରାମ ନିକଟସ୍ଥ ଆମ୍ବତୋଟାରେ ଅଭିଯୁକ୍ତମାନେ ଶିକାର କରିଥିବା ବାର୍ହାକୁ କାଟୁଥିବା ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ତା, ଫରେଷ୍ଟର ଜ୍ୟୋତିରଂଜନ ମାନସିଂହ ଓ ପବିତ୍ର କୁମାର ପରିଡା ପ୍ରମୁଖ ଗତକାଲି ରାତି ସାଢେ ୮ଟା ବେଳେ ଚଢ଼ଉ କରି ମାଂସ ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ନିକଟରୁ ୨ଟି ଛୁରୀ ଓ ୪ଟି ଅଖା ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗ୍ରାମ ନିକଟସ୍ଥ ପୋଖରା ଜଙ୍ଗଲରୁ ଅଭିଯୁକ୍ତମାନେ ଏହି ବନ୍ୟଜନ୍ତୁକୁ ଶିକାର କରି ବିକ୍ରି ଉଦ୍ଦେଶ୍ୟରେ ମାଂସ କାଟୁଥିବା ବେଳେ ଚଢ଼ଉ କରି ଧରାଯାଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର