ଗଞ୍ଜାମରେ ସ୍ଥିତି ପରଖିଲା ଏନ୍‌ସିଡିସି କେନ୍ଦ୍ରୀୟ ଟିମ୍‌ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସାରା ରାଜ୍ୟର ନଜର ଗଞ୍ଜାମ ଉପରେ କେନ୍ଦ୍ରୀଭୂତ। ଏ ପରିସ୍ଥିତିରେ ଏନ୍‌ସିଡିସିର ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଳା ଗସ୍ତ କରି ସ୍ଥିତି ପରଖିଛନ୍ତି। ସ୍ବାସ୍ଥ୍ୟ ନି‌ର୍ଦ୍ଦେଶକ ଡା.ବିଜୟ ମହାପାତ୍ରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡା.ମହେଶ ଓ ଡା.ତୁଷାର ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିହାର ରାୟ ପ୍ରମୁଖ ଅଛନ୍ତି। ଏହି ଟିମ୍‌ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ଼୍‌ ହସ୍ପିଟାଲ୍ ଆଦି ପରିଦର୍ଶନ କରିଛନ୍ତି।
ଆଜି ପୂର୍ବାହ୍‌ଣ ଛତ୍ରପୁର ଯାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି। ଡା.ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି )ଟିମ୍‌ ଗତକାଲି ଠାରୁ ଆସି ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ଼୍‌ ‌ହସ୍‌ପିଟାଲ ଓ କୋଭିଡ଼୍‌ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ଗଞ୍ଜାମରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଠିକ୍‌ ରହିଛି। ଆଉ ଦୁଇ ତିନି ଦିନ ପରେ ସଙ୍ଗରୋଧ କେନ୍ଦ୍ରରୁ ଲୋକ ଘରକୁ ଫେରିବେ। ସେମାନେ କିଭଳି ଠିକ୍‌ ଭାବେ ଘରେ ରହିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି।

ଗଞ୍ଜାମ ହେଉଛି ହଟ୍‌ସ୍ପଟ। ଏଠାରେ କରୋନା ବଢ଼ିନି। ଯେହେତୁ ଅଧିକ ସଂଖ୍ୟାରେ ପ୍ରବାସୀ ଆସୁଛନ୍ତି ତେଣୁ ପଜିଟିଭ୍‌ ସଂଖ୍ୟା ବଢ଼ୁଛି। କେନ୍ଦ୍ରୀୟ ଟିମ୍‌ ଜିଲ୍ଲାପାଳଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରୀୟ ଟିମ୍‌ର ପରାମର୍ଶ ଆଧାରରେ ଜିଲ୍ଲାରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ନିହାର ରାୟ ‘ସମ୍ବାଦ’କୁ କହିଛନ୍ତି, ଓଡ଼ିଶାର ଟିଏମ୍‌ସି ଏକ ରୋଲ ମୋଡ଼େଲ। ପ୍ରବାସୀ ଓଡ଼ିଆଙ୍କ ଟିଏମ୍‌ସିରେ ସଙ୍ଗରୋଧରେ ରଖିବା ଓ ସରପଞ୍ଚଙ୍କୁ କ୍ଷମତା ଦେବା ଏକ ବଡ଼ ପଦକ୍ଷେପ। ଏ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଗଠନ କଣ୍ଟ୍ରି ଅଫିସକୁ ମୁଁ ରିପୋର୍ଟ ଦେଇଛି। ଗଞ୍ଜାମ ଆସିଥିବା ଏନ୍‌ସିଡିସି ଟିମ୍‌ ଛତ୍ରପୁର ଆଇଟିଆଇ ଠାରେ ଥିବା ଟିଏମ୍‌ସି ପରିଦର୍ଶନ କରିବା ସହିତ ଶିକ୍ଷକ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନେ ଗଞ୍ଜାମର ଟିଏମ୍‌ସି ପରିଚାଳନାରେ ଖୁସି ବ୍ୟକ୍ତି କରିଥିବା ସେ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର