ଯାଜପୁର: ସୁନା ଦୋକାନୀ ଓ କର୍ମଚାରୀଙ୍କ ହତ୍ୟା ପରେ ଲୁଟ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମାସଡ଼ା ନିକଟସ୍ଥ ଖଇରିଆ ପୋଲ ପାଖରେ ଜଣେ ସୁନା ଦୋକାନୀ ଓ ତାଙ୍କ କର୍ମଚାରୀଙ୍କ ତଣ୍ଟିକାଟି ଦୁର୍ବୃତ୍ତମାନେ ହତ୍ୟା କରିବା ସହିତ ସେମାନଙ୍କ ପାଖରେ ଥିବା ସମସ୍ତ ସନାରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ରାତି ୯ଟା ବେଳେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତର ସମଲପୁର ଗ୍ରାମର ଖଗେଶ୍ୱର ମହାରଣା(୪୫ ବର୍ଷ)ଙ୍କର ବିଞ୍ଝାରପୁର ନିକଟସ୍ଥ ପୀତିପୁର ଠାରେ ଏକ ସୁନା ଅଳଙ୍କାର ରହିଛି। ଗତକାଲି ରାତି ପ୍ରାୟ ୮ଟାରୁ ସାଢ଼େ ୮ଟା ମଧ୍ୟରେ ଶ୍ରୀ ମହାରଣା ତାଙ୍କ କର୍ମଚାରୀ ତଥା ଦେବାନସାହି ଗ୍ରାମର ଚୈତନ୍ୟ ସାହୁ(୫୦)ଙ୍କ ସହିତ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ତେବେ ଘରକୁ ଫେରିବା ବାଟରେ କେତେକ ଦୁର୍ବୃତ୍ତ ତାଙ୍କ ଖଇରିଆ ପୋଲ ନିକଟରେ ଅଟାଇକାଇ ଲୁଟ୍‌ ପାଟ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଏହାକୁ ଶ୍ରୀ ମହାରଣା ଓ ଶ୍ରୀ ସାହୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ରାସ୍ତାରୁ ବିଲ ଆଡକୁ ଟାଣି ନେଇ ତଣ୍ଟି କାଟି ହତ୍ୟା କରିବା ପରେ ସେମାନଙ୍କ ପାଖରେ ଥିବା ସମସ୍ତ ସୁନାରୁପା ଗହଣା ଓ ଟଙ୍କାକୁ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ତେବେ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଉଭୟ ଶ୍ରୀ ମହାରଣା ଓ ଶ୍ରୀ ସାହୁ ସେମାନଙ୍କ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ବିଲ ମଝିକୁ ଟାଣି ନେଇ ଏହି ହତ୍ୟାକାଣ୍ଡ ଘଟାଇ ଥିବାରୁ ରାତିରେ ପରିବାର ଲୋକେ ସେମାନଙ୍କୁ ଠାବ କରି ପାରି ନ ଥିଲେ। ଆଜି ସକାଳୁ ବିଲରେ ଦୁଇଟି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର