ଜିଲ୍ଲା ପ୍ରଶାସନର ଅବହେଳା ଓ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ନିମ୍ନମାନର ଖାଦ୍ୟ ପ୍ରଦାନ ନେଇ ଭିଡିଓ ଭାଇରାଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବେଲଗାମ ପ୍ରବାସୀ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ନ ଥିବା ଯୋଗୁଁ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । କରଳାମୁଣ୍ଡା ବ୍ଲକର ଜୋରାଡୁଗରା ସଂଗରୋଧ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ପ୍ରଦାନ କରିବା ନେଇ ଭିଡିଓ ଭାଇରାଲ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୬୯ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଜିଲ୍ଲାକୁ ଆସିବା ପାଇଁ ପଞ୍ଜିକୃତ କରିଛନ୍ତି । ବର୍ତ୍ତମାନ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଜିଲ୍ଲା କୁ ଫେରି ଆସିଛନ୍ତି । ବିଭିନ୍ନ ସ୍ଥାନରେ ବସ ରେ ଆସୁଥିବା ବେଳେ ଶ୍ରମିକମାନେ ବାଟରୁ ଓହ୍ଲାଇ ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ବହୁ ସ୍ଥାନରେ ଚାଲି ଚାଲି ଆସୁଥିବା ଶ୍ରମିକ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ନାହିଁ । ବର୍ତ୍ତମାନ ଏହା ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ଅବହେଳା ଓ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଲୋକେ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ମଙ୍ଗୁ ନଥିବା ଦେଖିବାକୁ ମିଳିଛି । ଜିଲ୍ଲାର କରଳାମୁଣ୍ଡା ଓ ତଲମଲା ସଙ୍ଗରୋଧ କେନ୍ଦ୍ର ରେ ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । କରଳାମୁଣ୍ଡା ସଙ୍ଗରୋଧ କେନ୍ଦ୍ର ରେ ନିମ୍ନ ମାନର ଖାଦ୍ୟ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣା ତଦନ୍ତ ସାପେକ୍ଷ ଅଟେ ।

ଜିଲ୍ଲାର ବହୁ ସଙ୍ଗରୋଧ କେନ୍ଦ୍ର ରେ ବେଡ଼ସିଟ ବଦଳରେ ନିମ୍ନ ମାନର ଧଳା ଧୋତି ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେହିଭଳି ପାଇଖାନା ଠିକ ଭାବେ ସଫେଇ ହେଉନଥିବା ବେଳେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏଥି ଯୋଗୁଁ ରାଜ୍ୟ ସରକାରଙ୍କ ଶ୍ରମିକଙ୍କ ପ୍ରଶ୍ନ ଯେ, ଯଦି ଆମ ଵ୍ୟଵସ୍ଥା କରିପାରୁ ନାହଁ ତେବେ ଆମକୁ ଘରକୁ ଯିବାକୁ ଦିଅ । ଦେଶ ବ୍ୟାପି ଲକଡାଉନ୍ ଘୋଷଣା ସହ ବାହାର ରାଜ୍ୟରୁ ଶ୍ରମିକମାନଙ୍କ ଫେରିବା ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମେ ସୁରତ, କେରଳ ଓ ଗୁଜୁରାଟରୁ ପ୍ରବାସୀ ଲୋକେ ଫେରିବା ଆରମ୍ଭ କରିଥିବା ବେଳେ ଆଗକୁ ବହୁ ପରିମାଣରେ ପ୍ରବାସୀ ଶ୍ରମିକ, ଛାତ୍ର ଓ କମ୍ପାନି କର୍ମଚାରୀମାନେ ଫେରିବା ରହିଛି।

ସରକାରଙ୍କ ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ରାଜ୍ୟର କେତେକ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ଯେଉଁ ହୋହାଲ୍ଲା କରିଛନ୍ତି ଏହାକୁ ନେଇ ସରକାର ଓ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନ୍ୟ ପଟେ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନିଜ ଭିଟାମାଟି କୁ ଫେରିବା ପରେ ସରକାର ଦେଇଥିବା ପ୍ରତିଶ୍ରୁତି ସବୁ ଫେଲ୍ ହୋଇଥିବା ଜଣପଡୁଛି । ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ମାନେ ଲକ୍ ଡାଉନ୍ ଯୋଗୁ ମୁମ୍ବାଇ ରେ ଫସିଥିଲେ ଶେଷରେ ବାଧ୍ୟ ହୋଇ କିଛି ଶ୍ରମିକ ଅନେକ ଆଶା ଓ ସ୍ବପ୍ନ ନେଇ ନିଜ ଗାଁକୁ ବାହାରିଲେ ।

ନୂଆପଡା ଜିଲ୍ଲାକୁ ପହଞ୍ଚିବା ପରେ ପ୍ରଶାସନ ସେମାନଙ୍କୁ ଏକ ବସ୍ ଯୋଗେ ପ୍ରାୟ ୮୦ ଜଣ ଶ୍ରମିକଙ୍କୁ କଳାହାଣ୍ଡି ପଠାଯାଇଥିଲା । ରାତି ପ୍ରାୟ ୨ ଘଂଟା ସମୟ ରେକଳାହାଣ୍ଡି ଭବାନୀପାଟଣା ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକେଇ ସଙ୍ଗରୋଧ କେନ୍ଦ୍ର କୁ ଯିବ ବୋଲି କହିଲା । ହେଲେ ସକାଳ ୯ ଟା ପର୍ଯ୍ୟନ୍ତ ନା କୌଣସି ସରକାରୀ ଅଧିକାରୀ କାହାର ଦେଖା ମିଳିନ ଥିଲା। ପିଇବା ପାଇଁ ପାଣି ନା ଖାଇବାକୁ ଖାଦ୍ୟ ମିଳିଲା ନ ଥିଲା ।

ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେମାନେ ଏହି ସୁବିଧାରୁ ବଞ୍ଚିତ ହେଇଛନ୍ତି ଯାହା ଶ୍ରମିକମାନଙ୍କ ପାଇଁ ହୋଇଥିବା ଏହି ବ୍ୟବସ୍ଥା ସବୁ ଫେଲ୍ ହୋଇଥିବା ଜଣାପଡିଛି । ଗୋଟିଏ ପଟେ ଆସୁଥିବା ପ୍ରବାସୀ ମାନଙ୍କ ଉପରେ ନିୟନ୍ତ୍ରଣ ନ ରହିବା ଓ ଅନ୍ୟ ପଟେ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବୀ ହୋଇଛି ।

ବହୁ ପ୍ରବାସୀ ଆସିବା ପ୍ରରଶାସର ଅସହଯୋଗ ଯୋଗୁଁ ବହୁ ବିଳମ୍ବରେ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚା ଯାଉଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଛି । ଚାଲି ଚାଲି ଆସୁଥିବା ବହୁ ଦାଦନ ଶ୍ରମିକ ଆସି ନିଜ ଘରେ ରହୁଥିବା ବେଳେ ସେମାନଙ୍କ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଠିକ ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମିଳୁନଥିବା ଯୋଗୁଁ ଜିଲ୍ଲାବାସୀ ଏବେ ଅନ୍ଧାରରେ ଅଛନ୍ତି । ଜିଲ୍ଲା ପ୍ରଶାସନ କୋଭିଡ ମୁକାବିଲା ପାଇଁ କେତେ ସକ୍ଷମ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଣମାଧ୍ୟମ ପ୍ରତିନିଧିମାନେ କୋଭିଡ ମୁକାବିଲା ନେଇ ସୂଚନା ମାଗିଲେ ରାଜ୍ୟ ସରକାର ଦେବେ ବୋଲି ଓଲଟା ସଫେଇ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ଉଭୟ ଗଣମାଧ୍ୟମ ଓ ଜନସାଧାରଣ ଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗ ଜିଲ୍ଲାବାସୀଙ୍କ ମଧ୍ୟରେ ଭୃକୁଞ୍ଚନ ଦେଖା ଯାଇଛି ।

ସମ୍ବନ୍ଧିତ ଖବର