ନୂଆ ରୂପରେ କଟକ ରେଳ ଷ୍ଟେସନ, ଦିନରେ ରଙ୍ଗୀନ ଚିତ୍ର ଓ ରାତିରେ ଏଲଇଡି ଲାଇଟରେ ଝଲସୁଛି

କଟକ: ଦୀର୍ଘ ଦିନ ପରେ କଟକ ରେଳ ଷ୍ଟେସନର ନବୀକରଣ କରାଯାଉଛି। ଦିନରେ ରଙ୍ଗୀନ ଚିତ୍ର ଯାତ୍ରୀଙ୍କ ମନ ଜିଣୁଥିବା ବେଳେ ରାତିରେ ଝିଲମିଲ ଏଲଇଡି ଲାଇଟରେ ଝଲସୁଛି ଷ୍ଟେସନ। ଏଯାବତ୍‌ କେତେକ ପ୍ରକଳ୍ପର ନିର୍ମାଣ ଶେଷ ହୋଇଥିବା ବେଳେ ଆଉ କିଛି କାମ ଜାରି ରହିଛି ।

କଟକ ରେଳ ଷ୍ଟେସନର ସୌନ୍ଦର୍ଯ୍ୟ ବଦଳୁଛି । ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ସୁନ୍ଦର ଆଲୋକରେ ଝଲସୁଛି ପ୍ଲାଟ ଫର୍ମ । ରାସ୍ତା କଡ କାନ୍ଥରେ ରଙ୍ଗୀନ ଚିତ୍ର ଅଙ୍କା ହୋଇଛି । ରାସ୍ତା ସଂପ୍ରସାରଣଠୁ ନେଇ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍‌ଟ, ଫୁଟ୍‌ ଓଭରବ୍ରିଜ, ଆଲୋକୀକରଣ, କାନ୍ଥ ସୌନ୍ଦର୍ଯ୍ୟକରଣ, ନେତାଜୀ ଗ୍ୟାଲେରୀ, ଡିଜିଟାଲ ସଂଗ୍ରାହଳୟ ଏବଂ ସେଲଫି ଜୋନ ପରି ଅନେକ ପ୍ରକଳ୍ପ କରାଯାଇଛି । ୧୦ କୋଟି ଟଙ୍କା ବ୍ୟୟରେ କେତେକ ପ୍ରକଳ୍ପର କାମ ସରିଥିବା ବେଳେ ଆଉ କେତେକର କାମ ଚାଲୁ ରହିଛି । ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଦିଲ୍ଲୀରୁ ଆସିଥିବା ପିଏସି ଟିମ୍‌ କଟକ ଷ୍ଟେସନର ଭିତିଭୂମି ଯାଞ୍ଚ କରିଛନ୍ତି । ଟିମ୍‌ ସଦସ୍ୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ କି ପ୍ରକାର ସୁବିଧା ରହିଛି ତାହା ବୁଲି ଦେଖିଥିଲେ। ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ, ଡଷ୍ଟବିନ, ଯାତ୍ରୀ ବିଶ୍ରାମଗାର, ୱାଟର ଏଟିଏମ, ଟିକେଟ କାଉଂଟର ଏବଂ ବୋତଲ ରିସାଇକ୍ଲିଂଗ ମେସିନକୁ ଟିକିନିଖି ଯାଞ୍ଚ କରିଥିଲେ । ଷ୍ଟେସନକୁ ଜାତୀୟ ରାଜପଥ ସହ ସଂଯୋଗ କରିବା ପାଇଁ କଟକ ବରିଷ୍ଠ ନାଗରିକ ମହାସଭା ଏକ ଦାବି ପତ୍ର ପିଏସି ଟିମକୁ ଦେଇଛି । ଏହା ସହ କଟକ ଷ୍ଟେସନ ଦେଇ ଯେଉଁ ଏକ୍ସପ୍ରେସ ଟ୍ରେନଗୁଡିକ ଯାଉନାହିଁ ସେହି ଟ୍ରେନ ଚଳାଚଳ ପାଇଁ ଦାବି ହେଉଛି ।

ସମ୍ବନ୍ଧିତ ଖବର