ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ନିର୍ଦ୍ଦେଶିକା

ବ୍ରହ୍ମପୁର: କରୋନା ମହାମାରୀକୁ ନେଇ ସବୁଠି ଆଲୋଡ଼ନ ସୃଷ୍ଟି ହୋଇଛି। ନିଜାମୁଦ୍ଦିନ୍‌ ଓ ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି। ଆଉ ଏଭଳି ପରିସ୍ଥିତିରେ ଗତ ଦୁଇ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ୭୧ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡ଼ିଛି। ଏହି ମାନଙ୍କୁ ଚିହ୍ନଟ କରି ସଙ୍ଗରୋଧ ରଖିବା ସହିତ ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଆସିଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ମର୍ମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜିଓ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଛି ସ୍ବାସ୍ଥ୍ୟ ବିଭାଗ। ଏପ୍ରିଲ ୧୫ ଠାରୁ ୩୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗରୁ ଗଞ୍ଜାମ ଜିଲ୍ଲାକୁ ୭୧ଜଣ ଆସିଛନ୍ତି। ସେଥିମଧ୍ୟରୁ ୬ଜଣ ଗୋପାଳପୁର, ବ୍ରହ୍ମପୁର ଓ ବ୍ରହ୍ମପୁର ସଦର ଅଞ୍ଚଳକୁ ୯ଜଣ ଆସିଛନ୍ତି। ସେହିପରି ଆସିକା, ଜରଡ଼ା, କବିସୂର୍ଯ୍ୟନଗର, ଗଞ୍ଜାମ, ଛତ୍ରପୁର, ବୁଗୁଡ଼ା, ପୁରୁଷୋତ୍ତମପୁର, ଭଞ୍ଜନଗର ଓ ଗୋଳନ୍ଥରା ଆଦି ଇଲାକାକୁ ପଶ୍ଚିମବଙ୍ଗ ଫେରନ୍ତା ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ୭୧ଜଣଙ୍କ ମଧ୍ୟରୁ ବ୍ରହ୍ମପୁର ଉପଖଣ୍ଡର ଅଧିକ ରହିଥିବା ଜଣାପଡ଼ିଛି। ଏହାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର