ଜଙ୍ଗଲ ବିଭାଗ ଦ୍ଵାରା ଆଦିବାସୀଙ୍କ ଘରଭଙ୍ଗା ଘଟଣା: ଅଭିଯୋଗ ଗ୍ରହଣ କଲେ ମାନବାଧିକାର କମିସନ

ଭବାନୀପାଟଣା: ଲକଡାଉନ ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଭବାନୀପାଟଣା ବ୍ଲକ ସଗଡ଼ା ପଞ୍ଚାୟତ ମଖାଗୁଡା ଗ୍ରାମର ୩୨ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ସେହି ନିରୀହ ଆଦିବାସୀ ମାନଙ୍କ ବେଘର କରିଦେବା ଘଟଣା ଜାତୀୟ ମାନବାଧିକାର କମିସନଙ୍କ ପାଖରେ ପହଞ୍ଚିଛି । ଏହି ମାମଲାକୁ ଗୁରୁତ୍ୱ ଦେବା ସହିତ ଜାତୀୟ ମାନବାଧିକାର କମିଶନ କେଶ ନଂ ୧୪୦୫/୧୮/୬/୨୦୨୦ ଭାବରେ ପଞ୍ଜୀକୃତ କରି ବିଚାର ପାଇଁ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉ କି ଗତ ୨୪ ଏପ୍ରିଲ ୨୦୨୦ରେ ସଗଡ଼ା ଲାବେନସର ରାସ୍ତା ପାଖରେ ଜଙ୍ଗଲ ଜମିରେ ଦୀର୍ଘ ତିନି ବର୍ଷ ହେବ କୁଡ଼ିଆ କରି ବସବାସ କରୁଥିବା କର୍ଲାପାଟ ଅଭୟାରଣ୍ୟର ମଖାଗୁଡା ଗାଁର ୩୨ ଟି ଆଦିବାସୀ ପରିବାରଙ୍କ ଘର ଗୁଡିକୁ ଜଙ୍ଗଲ ବିଭାଗ ଅଧିକାରୀମାନେ ଜୋର ଜବରଦସ୍ତ ଭାଙ୍ଗି ଦେବା ସହିତ ସେମାନଙ୍କୁ ନାନା ନିର୍ଯାତନା ଦେଇଥିଲେ ।

ମଖାଗୁଡା ଗାଁ ଦୁର୍ଗମ ଜଙ୍ଗଲ ଭିତରେ ଥିବାରୁ ଏ ଆଦିବାସୀ ପରିବାରମାନେ କୌଣସି ସୁବିଧା ସୁଯୋଗ ପାଇ ପାରୁନଥିବା ଏବଂ ନାନା ହଇରାଣ ହରକତ ହେଉଥିବା ବିଷୟକୁ ଦର୍ଶାଇ ୨୦୧୭ ମସିହାରୁ ଜିଲ୍ଲା ପ୍ରଶାସନ ପାଖରେ ସେମାନଙ୍କୁ ଏକ ଭଲ ସ୍ଥାନରେ ଥଇଥାନ କରିବାକୁ ନିବେଦନ କରିଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କର୍ଣପାତ ନକରି ବିନା ନୋଟିସରେ ସେମାନଙ୍କ ଘର ଭାଙ୍ଗିଦେବା ଘଟଣା ମାନବାଧିକାରର ହତ୍ୟା ହେବା ଦର୍ଶାଇ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ମାନବାଧିକାରଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି । ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଜଙ୍ଗଲ ଅଧିକାରୀମାନଙ୍କ ଏଭଳି ଅମାନୁଷିକ କାର୍ଯ୍ୟ ଫଳରେ ଆଦିବାସୀ ଓ ଅନୁସୂଚିତ ଜାତି ନିର୍ଯ୍ୟାତନା ନିବାରଣ ଆଇନ ଏବଂ ମହିଳା ନିର୍ଯାତନା ନିବାରଣ ଆଇନର ମଧ୍ୟ ଉଲ୍ଲଂଘନ କରୁଛନ୍ତି ।

ସମ୍ବନ୍ଧିତ ଖବର