ନର୍ସ ନୀହାରିକା ହତ୍ୟା ମାମଲା: ଏସଡିଜେଏମ କୋର୍ଟରେ ଜାମିନ ଆବେଦନ ଖାରଜ, ଜେଲ ଗଲା ରାଜା

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟା ମାମଲା ସହିତ ସଂପୃକ୍ତ ଅଭିଯୁକ୍ତ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ଶନିବାର ଜେଲ ଯାଇଛି। ଜଗତସିଂହପୁର ଜିଲ୍ଲାର ଏସ୍‌ଡିଜେଏମ୍‌ କୋର୍ଟ ରାଜାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ରାଜାକୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି। ନୀହାରିକାର ପ୍ରେମିକ ରାଜା ଶୁକ୍ରବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

ନର୍ସ ନୀହାରିକା ପାତ୍ରଙ୍କୁ ତା’ର ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ହତ୍ୟା କରି ଥିବା ଜଗତସିଂହପୁର ଏସ୍‌ପି ଆର ପ୍ରକାଶ ଶନିବାର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି କହିଛନ୍ତି, ବିବାହ ପ୍ରସ୍ତାବକୁ ନୀହାରିକା ସ୍ୱୀକାର କରି ନ ଥିବାରୁ ରାଜା ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିବା ଅନୁମାନ କରାଯାଉଛି। ଦୀର୍ଘ ୫ ବର୍ଷ ଧରି ନୀହାରିକା ଓ ରାଜା ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାତ୍ର ରାଜା ବେରୋଜଗାର ହୋଇଥିବାରୁ ବିବାହକୁ ନୀହାରିକା ଗୁରୁତ୍ୱ ଦେଉ ନ ଥିବାରୁ ରାଜା ତା’ ଉପରେ ଅସନ୍ତୁଷ୍ଟ ଥିଲା। ହୁଏତ ଏହି କାରଣ ଲାଗି ନୀହାରିକାକୁ ହତ୍ୟା କରିବା ପାଇଁ ରାସ୍ତା ଖୋଜୁଥିଲା।

ଏସ୍‌ପି କହିଛନ୍ତି, କଟକରେ ରହୁଥିବା ସାଙ୍ଗ ସୁନିଲ ସାହୁ ସେପ୍ଟେମ୍ବର ୮ ତାରିଖ ଗାଁକୁ ଯାଉଥିବା ବେଳେ ରାଜା ତା’ ଠାରୁ ରାତିକ ଲାଗି ଚାବି ମାଗିଥିଲା। ଘଟଣା ଦିନ ନୀହାରିକାକୁ ସୁନିଲଙ୍କର ଭଡ଼ା ଘରକୁ ନେଇ ଯାଇଥିଲା ଏବଂ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ନାଲି-କଳା ରଙ୍ଗର ହୋଣ୍ଡା ସାଇନ ବାଇକରେ ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳର ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର