ବଲେରୋ ଧକ୍କାରେ ଯୁବକ ମୃତ ଘଟଣା: ରାସ୍ତାରୋକ ଓ ଥାନାରେ ଭଂଗାରୁଜା ପରେ ୯ ଗିରଫ

ସମ୍ବଲପୁର/ରେଙ୍ଗାଲି: ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ସମ୍ବଲପୁର ଜିଲ୍ଲା କତରବଗା ଥାନାରେ ରବିବାର ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଶନିବାର ରାତିରେ ବୁର୍ଲାରେ ଯୁବକଙ୍କ ମୃତ୍ୟୁ ଖବର ମିଳିବା ପରେ ଥାନା ସମ୍ମୁଖରେ ଲୋକେ ରାସ୍ତାରୋକ କରିଥିଲେ। ରବିବାର ଦିନ ୧୦ଟାରୁ ପୁଣି ରାସ୍ତାରୋକ ଆରମ୍ଭ ହୋଇଥିଲା। ବ୍ୟବଚ୍ଛେଦ ପରେ ବୁର୍ଲାରୁ ମୃତଦେହ ଆସି ଦିନ ୨ଟା ବେଳେ କତରବଗାରେ ପହଞ୍ଚିଥିଲା। ଏହାପରେ ଲୋକଙ୍କ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଲୋକେ ଶବକୁ ଥାନାର ପ୍ରବେଶ ଦ୍ଵାର ସମ୍ମୁଖରେ ରଖି ବାଟ ବନ୍ଦ କରିଥିଲେ। ଏହାପରେ ସେମାନେ ଥାନା ଭିତରକୁ ଶବ ନେଇଯିବା ସହ ଭଙ୍ଗାରୁଜା କରିଥିଲେ।

ପ୍ରଥମେ ଅଳ୍ପ ସଂଖ୍ୟ ପୁଲିସ୍‌ ଉପସ୍ଥିତ ଥିଲାବେଳେ ପରେ ବହୁ ସଂଖ୍ୟାରେ ପୁଲିସ୍‌ ବଳ ପହଞ୍ଚିଥିଲେ। ବହୁ ବୁଝାଶୁଝା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ୩୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲାବେଳେ ରାତିରେ ଅଧିକ ଗିରଫଦାରି ହେବ ବୋଲି ପୁଲିସ୍‌ ସୂତ୍ରରୁ ଜଣା ପଡ଼ିଛି।

ସୂଚନାଯୋଗ୍ୟ, କତରବଗା ବଜାରରେ ଶନିବାର ରାତିରେ ଏକ ମେଳା ଆୟୋଜନ ହେଉଥିଲା। ଉକ୍ତ ଅଞ୍ଚଳର ପ୍ରଶାନ୍ତ ଧୁରୁଆ (୩୫), ତାଙ୍କ ପତ୍ନୀ ସବିତା (୩୦) ଓ ୨ ବର୍ଷର ଶିଶୁକନ୍ୟା ମେଳା ଦେଖି ଚାଲିଚାଲି ଫେରୁଥିଲେ। ଏହି ସମୟରେ ଥାନାଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଦ୍ରୁତଗାମୀ ବଲେରୋ (ଓଆର ୧୫ଆର ୯୦୦୬) ସେମାନଙ୍କୁ ଧକ୍କା ଦେଇଥିଲା। ଏହାପରେ ଗାଡ଼ିଟି କିଛି ଦୂର ଯାଇ ଏକ ଗଛରେ ଧକ୍କା ହୋଇ ଓଲଟି ପଡ଼ିଥିଲା। ଗାଡ଼ି ଚଳାଉଥିବା ନିକଟସ୍ଥ ଗୁଲାମାଲ ଗାଁର ଦିଲୀପ ବିଶ୍ୱାଳ ଫେରାର ହୋଇ ଯାଇଥିଲା। ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଥିଲେ।

ଶିଶୁଟି ସାମାନ୍ୟ ଆହତ ହୋଇଥିଲା। ପତି-ପତ୍ନୀଙ୍କୁ ବୁର୍ଲା ନିଆ ଯାଇଥିଲାବେଳେ ବୁର୍ଲାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ରାତିରେ ହିଁ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ। ରବିବାର ଦିନ ୧୦ଟାରେ କତରବଗା ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲାଯ ଅପରାହ୍ଣ ୨ଟାରେ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଥାନା ଘେରାଉ କରାଯାଇଥିଲା। ଲୋକେ ଶବକୁ ନେଇ ଥାନା ଭିତରେ ପୂରାଇଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଲୋକେ ଦାବି କରିଥିଲେ। ଏହାଛଡ଼ା ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ତଥା ଗାଡ଼ି ଚଳାଉଥିବା ତାଙ୍କ ପୁଅକୁ ଘଟଣାସ୍ଥଳକୁ ଆଣିବାକୁ ଦାବି କରିଥିଲେ। ଏହି ସମୟରେ ଉତ୍ୟକ୍ତ ଲୋକେ ଥାନା ଭିତରକୁ ପଶି ପର୍ଟିକୋରେ ଥିବା ଦୁଇଟି ଫୁଲ ଗମଲା ଏବଂ ଗୋଟିଏ ଟେବୁଲ ଭାଙ୍ଗି ଦେଇଥିଲେ।

ଖବର ପାଇ ସମ୍ବଲପୁର ଏସପି ସଂଜୀବ ଅରୋରା, ଆଡିସ୍ନାଲ ଏସ୍‌ପି ପ୍ରଦୀପ ମହାପାତ୍ର, ଉପଜିଲ୍ଲାପାଳ ପ୍ରଦୀପ ସାହୁ, ଏସଡିପିଓ ଭବାନୀ ଶଙ୍କର ଉଦଗାତା, କତରବଗା ଥାନାଧିକାରୀ ଅଜୟ ଜେନା, ରେଙ୍ଗାଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ଠେଲକୋଲଇ ଥାନା ଅଧିକାରୀ ସୁରେଶ ସାହୁ ପ୍ରମୁଖ ପୁଲିସ୍‌ ବଳ ସହ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର