ଗୁ୍ମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୯ ଗୁରୁତର

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁ୍ମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନୀଳକଣ୍ଠ ନାଇକ, ଯଶୋବନ୍ତ ନାଇକ, ହେତୁଲାଲ୍ ନାଇକ, ମାଙ୍ଗତିଆ ନାଇକ, ନୀଳକଣ୍ଠ ନାଇକ, ପ୍ରଦୀପ ନାଇକ, ହରିଶ ନାଇକ, ଭ୍ୟାନ୍ ଡ୍ରାଇଭର୍ ବି. ଶଶୀ କୁମାର ଓ ଆସିଷ୍ଟାଣ୍ଟ୍ ଡ୍ରାଇଭର ଜି. ସଂଜୟ। ଟାଉନ୍ ଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଓ ଡୁମୁରିପଦର ଗାଁର ଶ୍ରମିକମାନେ ଲକଡାଉନ୍ ଯୋଗୁ କେରଳରେ ଫସିଥିଲେ। କଟକଣା କୋହଳ ହେବା ପରେ ଶ୍ରମିକମାନେ କେରଳର ତ୍ରିଶୁର ସହରରୁ ନିଜ ଗାଁକୁ ଫେରିବା ପାଇଁ କେରଳ ପ୍ରଶାସନ ନିକଟରେ ଆବେଦନ କରିଥିଲେ। କୋଏମ୍ବାଟୁର ପରିବହନ ସଚିବ ଅନୁମତି ପ୍ରଦାନ କରିବା ପରେ ଶ୍ରମିକମାନେ ଏକ ଭ୍ୟାନ୍ ନଂ-ଟିଏନ୍୨୧ଏଭି-୨୭୯୯ ଯୋଗେ ୨୨ ତାରିଖରେ କୋଏମ୍ବାଟୁରରୁ ବାହାରିଥିଲେ। ଆଜି ପୂର୍ବାହଣରେ ଶ୍ରମିକମାନେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଚେକ ପୋଷ୍ଟରେ ପହଞ୍ଚିବା ପରେ ପଞ୍ଜିକରଣ କରି କଳାହାଣ୍ଡି ଅଭିମୁଖେ ବାହାରିଥିଲେ।

ଅପରାହଣ୍ ସାଢ଼େ ୪ଟାରେ ଭ୍ୟାନ୍ ରାୟଗଡ଼ା ସହର ଅତିକ୍ରମ କରି ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ୫ଟାରେ ଗୁମ୍ମା ଘାଟି ଓହ୍ଲାଉଥିବା ବେଳେ ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବା ଯୋଗୁ ଗାଡ଼ିଟି ଗାଡୱାଲରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ି ଭିତରେ ଥିବା ୭ ଶ୍ରମିକଙ୍କ ସମେତ ୯ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଟାଉନ୍ ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲକୁ ଆଣିଥିଲା। ଏଏସଆଇ କିଶୋର ଚନ୍ଦ୍ର ବେହେରା ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର