୧୭ କଳାକାରଙ୍କ ମୃତ୍ୟୁ ପରେ ବି ଚେତା ପଶିନି:ଏବେ ବି ଅସୁରକ୍ଷିତ ଗଇଲୋ ଘାଟି

ଦେବଗଡ଼: ଗଇଲୋ ଘାଟିରେ ଗତ ୧୭.୪.୨୦୧୬ରେ ଘଟିଥିବା ଦୁର୍ଘଟଣାର ବିଭୀଷିକା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ସେ ଦିନ ଘାଟି ତଳକୁ ବସ୍‌ ଖସି ଲିଭି ଯାଇଥିଲା ୧୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଦୀପ। ଉକ୍ତ କାଳ ରାତ୍ରିର ବିଭୀଷିକାକୁ ମନେ ପକାଇ ଆଜି ବି ଶିହରି ଉଠନ୍ତି ବର୍ତ୍ତି ଯାଇଥିବା କଳାକାର, ମୃତକଙ୍କ ପରିବାର ଲୋକ ତଥା ସମଗ୍ର ରାଜ୍ୟବାସୀ। ତେବେ, ଏବେ ବି ଉକ୍ତ ଘାଟି ରାସ୍ତାଟି ଅସୁରକ୍ଷିତ ଅବସ୍ଥାରେ ରହିଛି। ରାସ୍ତାଟି ସଂପୂର୍ଣ୍ଣ ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ କୌଣସି ସୁରକ୍ଷା ବାଡ଼ ନାହିଁ। ଦୁର୍ଘଟଣା ପରେ ଗଇଲୋ ଘାଟି ରାସ୍ତାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ପ୍ରଶ୍ନବାଚୀ। ଏହି ରାସ୍ତାରେ ଅନେକ ଗୁଡ଼ିଏ ବିପଦସଂକୁଳ ବୁଲାଣି ଥିବା ବେଳେ ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରେ ଲାଗିଛି ସତର୍କ ସୂଚନା ଫଳକ। କେବଳ ଏକ ଛୋଟ ଗାର୍ଡ ଓ୍ଵାଲ୍‌ଟିଏ ନିର୍ମାଣ କରି ଦାୟିତ୍ୱ ସାରି ଦିଆଯାଇଛି। ତା’ର ଆଖପାଖ ସ୍ଥାନ ସବୁ ପୂର୍ବ ଭଳି ମୁକୁଳା ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ତଦାରଖ ଅଭାବରୁ ଏବେ ବି ଲୋକେ ବିଭିନ୍ନ ଗାଡ଼ି ଉପରେ ବସି ଘାଟି ଉପର ଦେଇ ବିପଦସଂକୁଳ ଭାବେ ଯାତାୟାତ କରୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ନିଜେ ଲୋକମାନେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ବିପଦସଂକୁଳ ସ୍ଥାନ ଓ ବୁଲାଣିରେ କାଠ ଓ ବାଉଁଶରେ ବାଡ଼ ତିଆରି କରିଛନ୍ତି। ଏବେ ବି ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଏତେ ବଡ଼ ଦୁର୍ଘଟଣା ପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ନ ଚେଇଁଲେ ତା’ ହେଲେ କେବେ ନିଦ ଭାଙ୍ଗିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର