ମାସେ ହେଲା ଅଣ୍ଡା ପାଉ ନାହାନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ, ଭାତ-ଡାଲିରେ ଚଳୁଛି ବୁଧବାର ଓ ଶୁକ୍ରବାର

୨୫ ହଜାର ଛାତ୍ରଛାତ୍ରୀ ଅଣ୍ଡା ଖାଇବାକୁ ବଂଚିତ, ୩୭୦ ବିଦ୍ୟାଳୟ ନିରାମିଷ ହେଇ ଗଲାଣି

କୋରାପୁଟ: ଥ‌ରେ ନୁହେଁ କି ସପ୍ତାହେ ନୁହଁ। ମାସେ ହେଲା ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ନାହାନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ଜିଲ୍ଲାର ପ୍ରାୟ ୩୭୦ଟି ବିଦ୍ୟାଳୟର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ‌ଭୋଜନ ବିନା ଅଣ୍ଡାରେ ଚାଲିଛି। ପୁଣି ଏକଥା କେହି ଜାଣି ନାହାନ୍ତି ତାହା ବି ନୁହେଁ। ସମସ୍ତେ ଜାଣତରେ ଏହା ଚାଲିଛି, କିନ୍ତୁ କିଛି ପଦକ୍ଷେପ ନେଉ ନାହାନ୍ତି। ଫଳରେ ବିନା ଅଣ୍ଡାରେ ଦିଆ ହେଉଛି ମଧ୍ୟାହ୍ନ ଭୋଜନ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଥିଲାବେଳେ ଅଭିଭାବକ ଅସନ୍ତୋ‌ଷ ପ୍ରକାଶ କରିଛନ୍ତି।

ସହରାଞ୍ଚଳରେ ଥିବା ବିଦ୍ୟାଳୟଗୁଡିକୁ ମଧ୍ୟାହ୍ନ ଭୋଜନ ଦେବା ଦାୟିତ୍ବରେ ଜୟପୁର ଉପକଣ୍ଠ ରଣ୍ଡାପାଲିରେ ଥିବା କେନ୍ଦ୍ରୀୟ ରୋଷଶାଳା ରହିଛି। ଏହି କେନ୍ଦ୍ରୀୟ ରୋଷଶାଳାରେ ରୋଷେଇ କରାଯିବା ପରେ ସମସ୍ତ ବିଦ୍ୟାଳୟକୁ ଖାଦ୍ୟ ପଠା ଯାଉଛି। ଅନ୍ୟ ବିଦ୍ୟାଳୟଗୁଡିକରେ ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଖାଦ୍ୟ ଦିଆଯାଉଛି। କିଛି ବିଦ୍ୟାଳୟରେ କର୍ତ୍ତୃପକ୍ଷ ନିଜେ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ଏହି ସବୁ ବିଦ୍ୟାଳୟଗୁଡିକରେ ବୁଧବାର ଓ ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ସରକାରୀ ନିୟମ ରହିଛି। ଆଗରୁ ମଧ୍ୟ ଦିଆ ହୋଇ ଆସୁଛି। କିନ୍ତୁ ପାଖାପାଖି ମାସେ ହେଲା କେନ୍ଦ୍ରୀୟ ରୋଷଶାଳାରେ ଅଣ୍ଡା ରୋଷେଇ ବନ୍ଦ କରି ଦିଆଯାଇଛି। ବିଲ ମିଳି ନ ଥିବାରୁ ଅଣ୍ଡା ଆସି ପାରୁନି। ତେଣୁ ଅଣ୍ଡା ଦିଆ ଯାଉ ନ ଥିବା ଜଣାପଡିଛି। ଫଳ‌ରେ ୩୭୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଣ୍ଡା ପାଉ ନାହାନ୍ତି। ସୂଚନା ଅନୁସାରେ, ଏହି କେନ୍ଦ୍ରୀୟ ରୋଷଶାଳାରୁ ଜୟପୁର ସହର ଓ ବ୍ଲକ ସମେତ କୋରାପୁଟ, ସୁନାବେଡା, ଓ କୋଟପାଡ ସହରକୁ ଖାଦ୍ୟ ପଠାଯାଉଛି। ଏହି କେନ୍ଦ୍ରୀୟ ପାକଶାଳରୁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଉଥିବା ୨୫ ହଜାରରୁ ଅଧିକ ପିଲା ଅଣ୍ଡା ଖାଇବାରୁ ବଂଚିତ ହେଉଛନ୍ତି।

ପିଲାଙ୍କୁ ଅଣ୍ଡା ନ ମିଳିବା ପଛରେ ଥିବା କାରଣ ବି ସାଂଘାତିକ। ରୋଷଶାଳାକୁ ବିଲ ମିଳୁ ନ ଥିବାରୁ ସେମାନେ ପିଲାଙ୍କୁ ଅଣ୍ଡା ଯୋଗାଇବାରେ ସକ୍ଷମ ହେଉ ନାହାନ୍ତି। ଏହାର ପରିଚାଳକ ଅନନ୍ତ ପ୍ରହରାଜ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ବାବଦକୁ ୩ ମାସ ହେଲା ପ୍ରାପ୍ୟ ମିଳିନି। ତଥାପି ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରିନୁ। କିନ୍ତୁ ଅଣ୍ଡା କିଣି ଦେବା ସମ୍ଭବ ହେଉନି। ଅଣ୍ଡା ପାଳି ଦିନ କେବଳ ଅଣ୍ଡା କିଣିବାରେ ଦେଢ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଅଣ୍ଡା ଦେବା ବନ୍ଦ କରି ଦେଇଛୁ। ଟଙ୍କା ମିଳିବା ପରେ ପୁଣି ଅଣ୍ଡା ଦିଆଯିବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, କୋରାପୁଟର ନିୟମିତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପ୍ରାୟ ଦୁଇ ମାସ ହେଲା କେହି ନାହାନ୍ତି। ତେଣୁ କେନ୍ଦ୍ରୀୟ ରୋଷଶାଳାକୁ ଅର୍ଥ ଦିଆଯାଇ ପାରିନି। ଏଥିନେଇ ‌ରୋଷଶାଳା ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଛି। ତଥାପି କେହି କିଛି ପଦକ୍ଷେପ ନେଇ ନାହାନ୍ତି। ସମସ୍ତେ ନିଜ ଉପରୁ ଦୋଷ ଛାଡି ଦେଇ ଚୁପଚାପ ବସି ପଡିଛନ୍ତି। ଆଉ ଏହାର ପରିମାଣ ଭୋଗୁଛନ୍ତି କୋମଳମତି ଛାତ୍ରଛାତ୍ରୀ।

ବିଦ୍ୟାଳୟଗୁଡିକରେ ଅଣ୍ଡା ଦିଆ ଯାଉ ନ ଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଅ‌ସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଓ ଶୁକ୍ରବାର ଅଣ୍ଡା ପାଳି ଦିନ ସେମାନେ ଭାତ ଡାଲି ଖାଇବାକୁ ବାଧ୍ୟ ହେଉଛନ୍ତି। ଏଥିନେଇ ସେମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଛାତ୍ର ଆଶିଷ ଖିଲ କହିଛନ୍ତି ଯେ, ଆଗରୁ ପ୍ରତି ବୁଧବାର ଓ ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉ ନ ଥିଲା। ଏବେ କିନ୍ତୁ କ’ଣ ହୋଇଛି ଯେ, ମାସେ ହେଲା ଆଉ ଅଣ୍ଡା ଦେଉ ନାହାନ୍ତି। ଅପରପକ୍ଷରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅଭିଭାବକ। ସେମାନେ କହିଛନ୍ତି ଯେ, ଯାହା ବି କାରଣ ଥାଉନା କାହିଁକି, ଛାତ୍ରଛାତ୍ରୀଙ୍କୁ ଅଣ୍ଡା ପ୍ରଦାନରୁ ବଂଚିତ କରିବା ଠିକ ହୋଇନି। ତେଣୁ ତୁରନ୍ତ ପିଲାଙ୍କୁ ଅଣ୍ଡ‌ା ପ୍ରଦାନ ସହ ଏହା ପଛରେ ଯାହାର ତ୍ରୁଟି ଅଛି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ।

 

ସମ୍ବନ୍ଧିତ ଖବର