ଭଦ୍ରକ-ଧାମରା ସ୍ୱତନ୍ତ୍ର ରାଜପଥ ନିର୍ମାଣ ନେଇ ମିଳୁନି ସବୁଜ ସଙ୍କେତ

ଭଦ୍ରକ: ଭଦ୍ରକ ଠାରୁ ଧାମରା ବନ୍ଦରକୁ ସ୍ୱତନ୍ତ୍ର ରାଜପଥ ନିର୍ମାଣ ନେଇ ସବୁଜ ସଙ୍କେତ ମିଳୁ ନାହିଁ। ଏହି ବନ୍ଦରର ପରିଚାଳନା ଦାୟିତ୍ୱ ଏବେ ଆଦନି ହାତରେ ରହିଛି। ପ୍ରଥମେ ଏହାକୁ ଟାଟା ଓ ଏଲଆଣ୍ଡଟି ଆରମ୍ଭ କରିଥିଲେ। ସରକାରଙ୍କଠାରୁ ୩୦ ବର୍ଷର ଚୂକ୍ତି ଭିତ୍ତିିରେ ଏଇ ଦୁଇ କମ୍ପାନି ଧାମରାଠାରେ ବନ୍ଦର ନିର୍ମାଣ କାମ ଆରମ୍ଭ କରିଥିଲେ। ବର୍ଷ ୨୦୧୧ ମସିହାରେ ଧାମରା ବନ୍ଦର ଦୁଇଟି ବର୍ଥକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ବାହାର ଦେଶରୁ ଧାମରା ବନ୍ଦରକୁ ଜାହାଜ ଆସିବା ସହ କୋଇଲା ଓ ଚୁନପଥର ଭଦ୍ରକ ଦେଇ ବନ୍ଦର କମ୍ପାନିର ସ୍ୱତନ୍ତ୍ର ରେଳପଥ ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି।

ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳପଥ ବନ୍ଦର କମ୍ପାନି ତାର ନିଜସ୍ୱ ଖର୍ଚ୍ଚରେ ତିଆରି କରିଛି। ଜମି ଅଧିଗ୍ରହଣ ବେଳେ ବନ୍ଦର କମ୍ପାନି ସ୍ୱତନ୍ତ୍ର ରେଳପଥ ଓ ସ୍ୱତନ୍ତ୍ର ସଡକ ପଥ ନିଜସ୍ୱ ସମ୍ବଳରେ ନିର୍ମାଣ କରିବ ବୋଲି କହିଥିଲା। ରେଳପଥ ହେଲା କିନ୍ତୁ ସଡକ ପଥ ହେଲା ନାହିଁ। ରେଳପଥରେ ମାଲ ପରିବହନ ହେଲା। ମାତ୍ର ଏଇ ରେଳପଥ ଦେଇ ଯାତ୍ରୀବାହୀ ରେଳ ଯିବାର କିଛି ଯୋଜନା କରାଗଲା ନାହିଁ। ଭଦ୍ରକ-ଧାମରା ରେଳପଥରେ ଦୁଇଟି ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ଭଦ୍ରକ ଜିଲ୍ଲାବାସୀ ବନ୍ଦର ଆରମ୍ଭରୁ ଦାବି କରି ଆସୁଛନ୍ତି କିନ୍ତୁ ଲୋକଙ୍କର ଏଇ ଦାବିପ୍ରତି ନା ରାଜ୍ୟ ସରକାର ନା ବନ୍ଦର କତ୍ତୃପକ୍ଷ କେହି ଶୁଣି ନାହାନ୍ତି।

ସେମିତି ମଧ୍ୟ ଭଦ୍ରକ-ଧାମରା ରେଳପଥ ପାର୍ଶ୍ଵ ଦେଇ ଏକ ସ୍ୱତନ୍ତ୍ର ରାଜପଥ ନିର୍ମାଣ ପାଇଁ ମୂଳରୁ କମ୍ପାନି ଜମି ଅଧିଗ୍ରହଣ କରିଛି। ମାତ୍ର ଏଇ ସ୍ୱତନ୍ତ୍ର ରାଜପଥ ନିର୍ମାଣ କରିବା ପାଇଁ ବନ୍ଦର କମ୍ପାନି ଏବେ ନୀରବ ରହିଛି। ରେଳପଥ ପରି ସଡକ ପଥ ବନ୍ଦର କାହିଁକି ତିଆରି କରିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ବନ୍ଦର କଂପାନି କଥା ଦେଇ କଥା ରଖୁ ନାହିଁ ରାଜ୍ୟ ସରକାର କାହିଁକି ସଂପୃକ୍ତ ବନ୍ଦର କମ୍ପାନିକୁ ଉତ୍ତରଦାୟିତ୍ୱ ଦେବାକୁ ଚାହୁଁ ନାହିଁ।

ସରକାରୀ କଳ ଉପରେ ନିର୍ଭର କରୁଛି ବନ୍ଦର କଂପାନି। କାଳେ ସରକାର ଏଇ ସଡକପଥ ନିର୍ମାଣ କଲେ ବନ୍ଦର କମ୍ପାନିକୁ ଆଉ ଅଧିକ ଅର୍ଥ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବାକୁ ପଡି ନାହିଁ। ସେଥିପାଇଁ ଜାମୁଝାଡିରୁ ବାସୁଦେବପୁର ଦେଇ ଧାମରା ପର୍ଯ୍ୟନ୍ତ ଡିଆରଡିଓ ରାସ୍ତାକୁ ୧୬ (ଏ) ଜାତୀୟ ରାଜପଥର ମାନ୍ୟତା ଦିଆଯାଇ କାମ କରିବାକୁ ଟେଣ୍ଡର କରାଯାଇଛି। ମାତ୍ର ଏଇ ରାସ୍ତା ନିର୍ମାଣ ହେଲେ, ଏହା ଯାତ୍ରୀମାନଙ୍କ ପାଇଁ ଗମନା ଗମନ ଲାଗି ସୁବିଧା ହୋଇ ପାରେ। ମାତ୍ର ବନ୍ଦର କମ୍ପାନି ଆଗାମୀ ଦିନରେ ତାର ମାଲ କାରବାର ସଡକପଥ ଦେଇ କରିବାକୁ ହେଲେ ସହଜ ରାସ୍ତା ହେଉଛି। ଧାମରା-ଭଦ୍ରକ ସ୍ୱତନ୍ତ୍ର ରାଜପଥ ବନ୍ଦର ନିଜେ ନିର୍ମାଣ କରିବାର ଆବଶ୍ୟକତା ରହିଛି।

ଚୁକ୍ତି ଅନୁଯାୟୀ ଆଜିର ଦିନରେ ବନ୍ଦର କମ୍ପାନି ତାର ମୂଳ ଲାଭର ୮ ପ୍ରତିଶତ ଅର୍ଥ ରାଜସ୍ୱ ଆକାରରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛି। ଅବଶିଷ୍ଟ ୯୨ପ୍ରତିଶତ ଲାଭାଂଶକୁ ବନ୍ଦର କମ୍ପାନି ନିଜେ ନେଇ ଯାଉଛି। ପାଖାପାଖି ବାର୍ଷିକ ୯୭୦ କୋଟି ଟଙ୍କାର ଲାଭାଂଶକୁ ବନ୍ଦର କମ୍ପାନି ସିଧା ସଳଖ ଭାବେ ଉଠାଇ ନେଉଛି। କମ୍ପାନି ଲାଭ ପାଉଥିବା ବେଳେ ତାର ଉତ୍ତରଦାୟିତ୍ୱ ହେଉଛି, ଧାମରା-ଭଦ୍ରକ ୬୨ କିମି ରାସ୍ତାକୁ ନିର୍ମାଣ କରିବ। ଏଥିପାଇଁ କମ୍ପାନିକୁ ଦେଢ ଶହ କୋଟିରୁ ଦୁଇ ଶହ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ। ଧାମରାକୁ ଭଦ୍ରକରୁ ଏଇ ସ୍ୱତନ୍ତ୍ର ସଡକପଥ ନିର୍ମାଣ କରିବାର ଆବଶ୍ୟକତା ରହିଥିବା ବେଳେ ଏହାକୁ କାହିଁକି କାଳକ୍ଷେପଣ କରାଯାଉଛିଯ ତାହା ବୁଝାପଡୁ ନାହିଁ।

ସମ୍ବନ୍ଧିତ ଖବର