ଅମିତ ଧଳ ହତ୍ୟାକାଣ୍ଡ ଘଟଣା: ସୋନୁ ଘୋଷ ବିରୋଧରେ ଲାଗୁହେଲା ଏନ୍‌ଏସ୍‌ଏ

ଝାରସୁଗୁଡା: ବ୍ରଜରାଜନଗର ବହୁଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡ ଘଟଣା ସହିତ ସଂପୃକ୍ତ ଥିବା ସୋନୁ ଘୋଷ ବିରୋଧରେ ଆଜି ସନ୍ଧ୍ୟାରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି। ଜିଲ୍ଲାପାଳ ସରୋଜ ସାମଲଙ୍କ ଅନୁମୋଦନ କ୍ରମେ ଏହି ଆଇନ ଲାଗୁ କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ସୋନୁ ପୂର୍ବରୁ ଗିରଫ ହୋଇ ଜେଲ ହାଜତରେ ଅଛି।

ଗତ ଜୁନ୍‌ ୨୪ ତାରିଖ ରାତି ୮ ଟା ୩୦ରେ ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡରେ ଅମିତ ଧଳଙ୍କୁ ପରିବହନ କାର୍ଯ୍ୟାଳୟ ଆଗରେ ଦୁଇଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଏହି ଘଟଣାରେ ଲମଟିବାହାଲର ସନ୍ଦୀପ ସିଂ ଓରଫ ବୁଲୁ, ଗୁଆଲପଡ଼ାର ଓକିଲ ରାୟ, ବେଲପାହାଡ଼ ଗରାଖାଇର ରମେଶ ପାଇକରାୟ ଓରଫ ଗୁର୍ମିତ ଏବଂ ବେଲପାହାଡ଼ ଗୁମାଡ଼େରାର ମହମ୍ମଦ ସହାବାଜକୁ ସେହି ମାସ ୨୭ ତାରିଖରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା।

ଏତଦ୍‌ ବ୍ୟତୀତ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗରୁ ସୋନୁ ଘୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ କୋଇଲା ବ୍ୟବସାୟ ଓ ମାଫିଆଙ୍କ ମଧ୍ୟରେ ପତିଆରା ବୃଦ୍ଧି ବୋଲି ପୁଲିସ ସେତେବେଳେ ସ୍ପଷ୍ଟ କରିଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ନଭେମ୍ବର ୫ ତାରିଖ ସନ୍ଧ୍ୟା ୭ଟାରେ ବ୍ରଜରାଜନଗର ମୁଖ୍ୟବଜାର ଠାରେ ଥିବା ଲକ୍ଷ୍ମୀ କେଫେରେ ମଣ୍ଟୁ ଘୋଷକୁ ୪ ଜଣ ଆତତାୟୀ ଗୁଳିକରି ହତ୍ୟା କରିଥିଲେ। ଏଥିରେ ପୁଲିସ ଉକ୍ତ ଆତତାୟୀ ମାନଙ୍କୁ ପିଛା କରି ଅମିତ ଧଳର ଭାଇ ଅନନ୍ତ ଧଳ ଓରଫ ଭିମା ଓ ତାର ୩ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ଗିରଫ କରିଥିଲା। ଗତକାଲି ମଣ୍ଟୁ ଘୋଷ ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଅମିତ ଧଳର ବାପା ଆଦିତ୍ୟ ଧଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲାଯ ଆଜି ସନ୍ଧ୍ୟାରେ ଅମିତ ଧଳ ହତ୍ୟାକାଣ୍ଡ ସହ ସଂପୃକ୍ତ ଅଭିଯୋଗରେ ଜେଲରେ ଥିବା ସୋନୁ ନାମରେ ଏନ୍‌ଏସ୍‌ଏ ଲାଗୁ କରାଯାଇଥିବା ଏସ୍‌ପି ଅଶ୍ୱିନୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର