ସୁନାବେଡ଼ାରେ ଜଳିଲା ଆଲୁଅ

ନୂଆପଡ଼ା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ସୁନାବେଡ଼ା ଅଭୟାରଣ୍ୟରେ ବାସ କରୁଥିବା ଲୋକଙ୍କ ପାଖକୁ ଆଲୁଅ ପହଞ୍ଚିଛି। ବୁଧବାର ଜିଲ୍ଲାପାଳ ଡା. ପୋମା ଟୁଡୁ ବାଟିବାହାଲ ଗାଁରେ ପହଞ୍ଚି ବିଦ୍ୟୁତ୍‌ ସରବରାହର ଶୁଭାରମ୍ଭ କରିଥିଲେ। ଏ ଅବସରରେ ଡିଆର୍‌ଡିଏ ପିଡି ବୃଷଭ ଚନ୍ଦ୍ର ନାଏକ ଓ ଓ୍ଵସ୍କୋ ନିର୍ବାହୀ ଯନ୍ତ୍ରୀ ଅନୁପମ ଦାସ ଉପସ୍ଥିତ ଥିଲେ। ଆର୍‌ଏଲ୍‌ଏଟିପି ସ୍କିମ ଅନ୍ତର୍ଗତ ୩୩/୧୧ କେଭି ସବ୍‌ଷ୍ଟେସନ ୩୩କେଭି ଲାଇନ ଏବଂ ୩୨ଟି ଟ୍ରାନସଫର୍ମର ଲଗାଯାଇ ସୁନାବେଡ଼ା କମାଣ୍ଡ ଏରିଆ ଅନ୍ତର୍ଗତ ୩୧ଟି ଗ୍ରାମ ଓ ବସ୍ତିକୁ ବିଦ୍ୟୁତି କରଣ କରାଯାଇଛି।
ଏହା ପରେ ଜିଲ୍ଲାପାଳ ସୋସେଙ୍ଗ ସେବାଶ୍ରମକୁ ଯାଇ ମଧ୍ୟାହ୍ନ ଭୋଜନ, ସ୍ୱଛତା ଦେଖିଥିଲେ। ସେଠାରେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଘା’ ହୋଇ ପଚି ଯାଇଥିବା ଦେଖି ତାଙ୍କ ଚିକିତ୍ସା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲରେ ୨ ଜଣ ଶିକ୍ଷକ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଅଡ଼ାର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ କମ୍‌ ଉପସ୍ଥାନ ପାଇଁ ଶିକ୍ଷକଙ୍କୁ ତାଗିତ କରିଥିଲେ। ସେହିପରି ସୁନାବେଡ଼ା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯାଇ ଡାକ୍ତର ନଥିବା ଏବଂ ଫାର୍ମାସିଷ୍ଟ ଥିଲେ ବି ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ନଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ସୁନାବେଡ଼ା ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ। ସେ ବିଭିନ୍ନ ରାସ୍ତା କାମ ଓ ଉନ୍ନୟନ ପ୍ରକଳ୍ପ ବି ଦେଖିଥିଲେ। ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ ପରିଚାଳନାରେ ଅନୁଷ୍ଠିତ ମହୁଚାଷ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର