୩ ଜଣଙ୍କୁ ୨୦ ବର୍ଷ ସଶ୍ରମ ଏବଂ ଜଣକୁ ୧୦ ବର୍ଷ କାରାଦଣ୍ଡାଦେଶ

ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା

ନୂଆପଡ଼ା: ନୂଆପଡ଼ା ଥାନା ଅନ୍ତର୍ଗତ ଝିଲମିଲା ଗାଁର ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଘଟଣା ମାମଲାର ଶୁଣାଣି କରି ନୂଆପଡ଼ା ମାନ୍ୟବର ଜିଲ୍ଲା ଦୌରାଜଜ ଅସୀମ ଦଳବହେରା ୩ ଜଣ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ୧୦ ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ପୀଡ଼ିତା ମହିଳା ଗତ ୨୦୧୪ ଜାନୁଆରି ୨୮ ତାରିଖ ଦିନ ଶୈାଚ ପାଇଁ ବିଲକୁ ଯାଇଥିବା ସମୟରେ ଉକ୍ତ ଗାଁର ଅନିଲ ଶବର(୨୬), ଭକ୍ତ ଶବର(୨୬) ଓ ନୀଳାମ୍ବର ଶବର (୧୯) ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ଗଣଦୁର୍ଷ୍କମ କରିଥିଲେ। ଏହି ସମୟରେ ଅନ୍ୟଜଣେ ଯୁବକ ହୋମ ସିଂ ଶବର(୨୯) ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ଘରେ କାହାକୁ କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ଭିଡିଓ ରେକଡିଂ ତୋ ସ୍ୱାମୀକୁ ଦେଖାଇଦେବୁ ବୋଲି ଯୁବକମାନେ ଧମକ ଦେଇଥିଲେ। ପୁଣି ୨୦୧୪ ଫେବ୍ରୁଆରି ୨ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଖଳାକୁ ଯାଇଥିବା ସମୟରେ ମହିଳାଙ୍କୁ ଉଦ୍ଧାର କରିଥିବା ହୋମ ସିଂ ଶବର ତାଙ୍କୁ ଦୁର୍ଷ୍କମ କରିଥିଲା। ସେ ମଧ୍ୟ ପୂର୍ବ ପରି ଧମକ ଦେଇଥିଲା।

ପରେ ଗାଁରେ ମିଟିଂ କରି ବିହାରୀ ଶବର (୫୦) ଏବଂ ସିଆରାମ ଶବର (୬୦) ଦୁଇଜଣ ବ୍ୟକ୍ତି ମହିଳାଙ୍କୁ କେସ ନକରିବା ପାଇଁ ଧମକ ଚମକ ଦେଇଥିଲେ। ପରେ ଗତ ୨୦୧୪ ଏପ୍ରିଲ ୧୪ରେ ନୂଆପଡା ଥାନାରେ ସେ ଏତଲା ଦେଇଥିଲେ। ଏନେଇ ପୁଲିସ କେସ ନଂ ୭୪/୨୦୧୪ରେ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାଛଡ଼ା ଧମକ ଚମକ ଦେଉଥିବା ଅଭିଯୋଗରେ ବିହାରୀ ଶବର ଏବଂ ସିଆରାମ ଶବରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଉକ୍ତ ମାମଲାର ଶୁଣାଣି କରି ୮ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ନୂଆପଡା ଜିଲ୍ଲା ଦୌରାଜଜ ଅସୀମ ଦଳବହେରା ୩ ଜଣ ଅଭିଯୁକ୍ତ ଅନିଲ, ଭକ୍ତ ଶବର ଓ ନୀଳାମ୍ବରଙ୍କୁ ଧାରା ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ହୋମ ସିଂଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଧମକ ଚମକ ଦେଇଥିବା ସିଆରାମ ଶବରଙ୍କୁ ଜିଲ୍ଲା ଦୌରାଜଜ ନିର୍ଦୋଶରେ ଖଲାସ କରିଛନ୍ତି। ଅନ୍ୟ ଅଭିଯୁକ୍ତ ବିହାରୀଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ମାମଲାକୁ ସରକାରଙ୍କ ତରଫରୁ ପବ୍ଲିକ ପ୍ରସ୍ୟୁକୁଟର ନିର୍ଦଶିନୀ ରଥ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର