କଳାହାଣ୍ଡି ଓ ନୂଆପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲାର ସମସ୍ତ ଅଦାଲତ ଓ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୪ଟି ମଟର ଦୁର୍ଘଟଣା ଜନିତ, ୭ଟି ଦେୱାନି, ୪ଟି ଫୌଜଦାରି, ୩୦ଟି ରାଜସ୍ୱ ମୋକଦ୍ଦମା, ୩ଟି ବ୍ୟାଙ୍କ ଋଣ ଖିଲାପି ଓ ୨ଟି ଅନ୍ୟାନ୍ୟ ମୋକଦ୍ଦମା ସମେତ ୬୦ଟି ମୋକଦ୍ଦମାର ଫଇସଲା କରାଯାଇ ୨୫ ଲକ୍ଷ ୪୮ ହଜାର ୪୯୯ ଟଙ୍କା ରାଜସ୍ୱ ଆଦାୟ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ ତଥା ଅତିରିକ୍ତ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଧନେଶ୍ୱର ମଲ୍ଲିକ, ସିଜେଏମ ଶ୍ୱେତା ମିଶ୍ର, ବରିଷ୍ଠ ଦେୱାନି ଜଜ ବିଷ୍ଣୁ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଶୃତିସ୍ନି୍ନିଗ୍ଧା ଦାସ, ଏସଡିଜେଏମ ସଙ୍ଗୀତା ମଲ୍ଲିକ, ଜେଏମଏଫସି ଚରଣଜିତ ଓରାମ, ଜିଲ୍ଲା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ଅଧ୍ୟକ୍ଷ ସୁଶୀଲ ରାୟ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଇନ୍ଦିରା ପ୍ରିୟଦର୍ଶିନୀ, କୋର୍ଟ ମ୍ୟାନେଜର ଦେବାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ନୂଆପଡ଼ା: ନୂଆପଡ଼ା ସିଭିଲ୍‌ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଓ ଦୌରାଜଜ୍‌ ଅସୀମ ଦଳବେହେରା ଅଧ୍ୟକ୍ଷତା ଅନୁଷ୍ଠିତ ଏହି ଲୋକ ଅଦାଲତରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବିଚାର ବିଭାଗୀୟ ଅଦାଲତରେ ପଡ଼ିରହିଥିବା ମାମଲାର ଆପୋଷ ସମାଧାନ କରାଯିବା ସହ ଫଇସଲ କରାଯାଇଥିଲା। ୪୩ଟି ଫୌଜଦାରୀ ଓ ଦେଓ୍ଵାନୀ ମକଦ୍ଦମାର ସମାଧାନ କରାଯାଇଥିଲା। ସେହିପରି ୮୨ଟି ବ୍ୟାଙ୍କ ଋଣ ବକେୟା ମାମଲାର ସମାଧାନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦିଗାମ୍ବର ପୃଷ୍ଟି, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଭାତ ରାଜଗୁରୁ, ବରିଷ୍ଠ ଦେଓ୍ଵାନୀ ବିଚାରପତି ସରୋଜିନୀ ପତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସୋମାଲିନା ମିଶ୍ର, ବରିଷ୍ଠ ଦେଓ୍ଵାନୀ ବିଚାରପତି ସଂଘମିତ୍ରା ଦାସ, ଖରିଆର ଜେଏମ୍‌ଏଫ୍‌ସି ଶ୍ରଦ୍ଧା ମାଣ୍ଡୋଠିଆ, ଜେଏମ୍‌ଏଫ୍‌ସି ବି.ଡି.ଡି. ଚନ୍ଦନା, ଚନ୍ଦ୍ରହଂସ ବେହେରା ଏବଂ ଗ୍ରାମ୍ୟ ନ୍ୟାୟ ଅଧିକାରୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ଞାନରଂଜନ ପଟ୍ଟନାୟକ ଲୋକ ଅଦାଲତ ପରିଚାଳନା କରିଥିଲେ। କୋର୍ଟ ମ୍ୟାନେଜର ତୁଷାରରଂଜନ ଦାସ, ସର୍ବେଶ୍ୱର ଗୁରୁ, ରାମଚନ୍ଦ୍ର ସାହୁ, ରତ୍ନାକର ପତ୍ରୀଙ୍କ ସମେତ ସମସ୍ତ କୋର୍ଟ କର୍ମଚାରୀ ସହଯୋଗ କରିଥିଲେ।
ସେହିପରି ନୂଆପଡ଼ା ଉପକାରଗାର ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜ୍ଞାନରଂଜନ ପଟ୍ଟନାୟକ, ରେଜିଷ୍ଟାର ରଘୁନନ୍ଦନ ଦାସ ଓ ନୂଆପଡ଼ା ଉପକାରଗାରର ସୁପରିଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର