ଲାଞ୍ଚ ନେଇ ଡିଏସ୍‌ପି ଧରାପଡ଼ିଲେ, ସରକାରୀ ବାସଭବନ, ପୈତୃକ ଗାଁରେ ଚଢ଼ଉ

ନୂଆପଡ଼ା: ଲାଞ୍ଚ ନେଇ ନୂଆପଡ଼ା ଡିଏସ୍‌ପି ରବୀନ୍ଦ୍ର ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏକ ଜାତିଆଣ ମାମଲାରେ ଗୁରୁତର ଦଫା ଲଗାଇବା ପାଇଁ ଏହି ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ ନିଜ ହେପାଜତକୁ ନେଇଯାଇଛନ୍ତି। ଏଥିସହିତ, ତାଙ୍କ ସରକାରୀ ବାସଭବନ ଓ ପୈତୃକ ଘର ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗରେ ଏକକାଳୀନ ଚଢ଼ାଉ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ନରସିଂପୁର ଗ୍ରାମର ଜଗଦୀଶ ଛୁରାଙ୍କୁ ସରଗାଦି ଗାଁର ଜଗୁ ପଟେଲ ଓ ବେଣୁ ପଟେଲ ମାଡ଼ପିଟ କରିଥିଲେ। ଏହାକୁ ନେଇ ଖଡିଆଳ ଥାନାରେ କେସ ନଂ ୨୯/୧୯ରେ ମାମଲା ରୁଜୁ ହୋଇଥିଲା। ଜାତିଆଣ ମାମଲା ରୁଜୁ ହୋଇଥିବାରୁ ନୂଆପଡ଼ା ଡିଏସ୍‌ପି ଶ୍ରୀ ସେଠୀ ଏହାର ତଦନ୍ତ ଭାର ନେଇଥିଲେ। ତେବେ, ମାମଲାଟିକୁ ମଜବୁତ କରାଇବା ପାଇଁ ସେ ଜଗଦୀଶଙ୍କୁ ୫ହଜାର ଟଙ୍କା ମାଗିଥିଲେ। ହେଲେ ଜଗଦୀଶ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିଥିଲେ। ପରେ କୌଣସି ଉପାୟ ନପାଇ ସେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଜୟପୁର (କୋରାପୁଟ) ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ କଳାହାଣ୍ତି ଓ ନୂଆପଡ଼ା ଭିଜିଲାନସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ଏକ ଟିମ୍‌ ପୂର୍ବ ଯୋଜନା ମୁତାବକ ଜଗି ରହିଥିଲେ। ଶ୍ରୀ ସେଠୀ ଲାଞ୍ଚ ଟଙ୍କା ନେଉଥିଲାବେଳେ ତାଙ୍କୁ କାବୁ କରିଥିଲେ। ତାଙ୍କ ଅଫିସ ବ୍ୟତୀତ ନୂଆପଡ଼ ସ୍ଥିତ ସରକାରୀ ବାସଭବନ ଓ ପୈତୃକ ଘର ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗରେ ଏକକାଳୀନ ଚଢ଼ଉ କରାଯାଇଥିବା ସୂଚନା ମିଳିଛ। ଭିଜିଲାନ୍ସ କେସ ନଂ ୪|୧୯ ରେ ମାମଲା ରୁଜୁ କରି ତାଙ୍କୁ ଆଜି ଅପରାହ୍ନରେ ଭବାନୀପଟାଣା ଭିଜିଲାନସ କୋର୍ଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର