ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ୧୦ ଓଡ଼ିଆ ଶ୍ରମିକ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଅଞ୍ଚଳରେ ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। କିଛିଦିନ ତଳେ ମହାରାଷ୍ଟ୍ରରେ ଅଟକ ଥିବେ ସିନାପାଲି ବ୍ଲକ୍‌ କୋଟାମାଲ ଗ୍ରାମର ଦାଦନ ଶ୍ରମିକ ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଘରକୁ ଫେରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶରେ ଫୁଲଚି ଗ୍ରାମର ୧୧ ଜଣ ଦାଦନ ଶ୍ରମିକ ବନ୍ଧକ ଥିବା ଶ୍ରମ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଏବେ ପୁଣି ସିନାପାଲି ବ୍ଲକର ଡଙ୍ଗରିଗୁଡା ଗ୍ରାମର ୧୦ ଜଣ ଦାଦନ ଶ୍ରମିକ ମହାରାଷ୍ଟ୍ରର ଔରଙ୍ଗଲ ସହରରେ ଏକ କାରଖାନାରେ ଦୀର୍ଘଦିନ ଧରି ବନ୍ଦୀ ଜୀବନ ବିତାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଡଙ୍ଗରିଗୁଡ଼ା ଗ୍ରାମର ଅର୍ଜୁନ ପରାଭୋଇ, ମୁକେଶ ତାଣ୍ଡି, ଲିଳମ ଦୁରିଆ, କଇଁତ ଦୁରିଆ, ଭୂମି ଦୁରିଆ, ଚରଣ ବାଗ, ଦ୍ରୌପଦୀ ବାଗ, ମନିଷା ବାଗ, କରିସ୍ମା ଦୁରିଆ, ଗାୟତ୍ରୀ ସୁନାନି ପ୍ରମୁଖ ପିଠାପଡ଼ା ଗ୍ରାମର ଧନୁର୍ଯ୍ୟ ସୁନାନି ନାମକ ଶ୍ରମିକ ଦଲାଲଙ୍କ ଜରିଆରେ ମହାରାଷ୍ଟ୍ରର ଔରଙ୍ଗେଲ ସହରକୁ କାମ ଅନେ୍ଵଷଣରେ ଯାଇଥିଲେ।

ଦଲାଲ ଜଣକ ଶ୍ରମିକମାନଙ୍କୁ ମାସିକ ୭ ହଜାର ଟଙ୍କା ସହ ଖାଇବାକୁ ଦେବାକୁ କହି ନେଇଥିଲା। ହେଲେ ଶ୍ରମିକମାନେ ସେଠାରେ ପହଞ୍ଚି କାମ ଆରମ୍ଭ କରିଥିବା ବେଳେ ୩୦୦ ଟଙ୍କା ପ୍ରଦାନ କରୁଥିବା ଓ ମାନସିକ, ଶାରୀରିକ ନିର୍ଯାତନା ଦେବା ସହ ମାଡ଼ପିଟ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରମିକମାନେ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ପରିବାର ଲୋକେ ସେମାନଙ୍କୁ ଆଣିବାରେ ଅସମର୍ଥ ଥିବାର ନେଇ ଆମ ପ୍ରତିନିଧିଙ୍କୁ କହିଛନ୍ତି। ସୂଚନଯୋଗ୍ୟ ଯେ, ଶ୍ରମିକମାନେ ଗତ ୨୦୧୭ ମସିହା ଜୁନ୍‌ ମାସରେ ଘରୁ ଯାଇଥିଲେ। ସେମାନେ ଘରକୁ ଆସିବା ପାଇଁ ମାଲିକକୁ କହିଲେ ମଧ୍ୟ ମାଲିକ ଛାଡ଼ୁନାହିଁ। ସେମାନଙ୍କୁ ଏକ ବିରାଟ ପାରେଚି ମଧ୍ୟରେ ତାଲା ପକାଇ କାମ କରାଉଥିବା ବେଳେ ବାହାରକୁ ମଧ୍ୟ ସେମାନଙ୍କୁ ଛାଡ଼ୁ ନଥିବାରୁ ପରିବାର ଲୋକେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି।
ଶ୍ରମିକମାନଙ୍କୁ ସେଠାକୁ ନେଇଥିବା ସଂପୃକ୍ତ ଦଲାଲଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସେ କେଉଁଆଡେ ଫେରାର ହୋଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ କୋଟାମାଲ ଗ୍ରାମର ଦାଦନ ଶ୍ରମିକମାନେ ମଧ୍ୟ ସେଠାରେ ନିର୍ଯାତିତ ହୋଇ କାମ କରୁଥିଲେ। ବର୍ତ୍ତମାନ ସେଠାରେ କାମ କରୁଥିବା ଦାଦନ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଫେରନ୍ତା କୋଟାମାଲ ଗ୍ରାମର ଦାଦନ ଶ୍ରମିକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର