ନୂଆପଡ଼ା ବିଧାନସଭାରେ ଚତୁର୍ମୁଖୀ ଲଢ଼େଇ

ନୂଆପଡ଼ା: ଆସନ୍ତା ୧୧ ତାରିଖରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଓ ଖଡ଼ିଆଳ ବିଧାନସଭା ମଣ୍ତଳୀରେ ଭୋଟ ଗ୍ରହଣ ହେବ। ନୂଆପଡ଼ା ବିଧାନସଭା ମଣ୍ତଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ନୂଆପଡ଼ା ବିଧାନସଭାର ୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ଏବେ ନୂଆପଡ଼ା ବିଧାନସଭା ମଣ୍ତଳୀରେ ତିନି ପ୍ରମୁଖ ଦଳ ବିଜେଡିରୁ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଇଂ ହୋମସିଂ ମାଝୀ ଠିଆ ହୋଇଛନ୍ତି। ବିଜେପି ଟିକଟ ଆଶାୟୀ ଯଦୁମଣି ପାଣିଗ୍ରାହୀ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେପି ପାଇଁ କଣ୍ଟା ସାଜିଛନ୍ତି। ଏଭଳି ସ୍ଥିତିରେ ଚତୁର୍ମୁଖୀ ଲଢ଼େଇ ହେବାର ଆଭାସ ମିଳୁଛି। ନୂଆପଡ଼ା ହେଉଛି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ତାଙ୍କ ବିଧାନ ସଭାମଣ୍ତଳୀ। ଏଥି ପାଇଁ ଏହି ଆସନ ଉପରେ ରାଜ୍ୟ ରାଜନୀତିର ନଜର ରହିଛି। ନୂଆପଡ଼ା ବିଧାନସଭାମଣ୍ତଳୀରେ ରହିଛି ନୂଆପଡା ବ୍ଲକ, କୋମନା ବ୍ଲକ ଏବଂ ନୂଆପଡ଼ା ଓ ଖରିଆର ରୋଡ ଏନଏସି। ଉକ୍ତ ବିଧାନସଭା ମଣ୍ଡଳୀରେ ରହିଛି ୬ଟି ଜିଲ୍ଲାପରିଷଦ ଜୋନ। ୨୦୧୯ରେ ମୋଟ ଭୋଟର ସଂଖ୍ୟା ୨,୨୪,୦୫୨ ରହିଥିବା ବେଳେ ପୁରୁଷ ଭୋଟର ୧,୧୨,୬୦୦, ମହିଳା ଭୋଟର ୧,୧୧,୯୪୫ ଓ ତୃତୀୟ ଲିଙ୍ଗୀ ୩୪ ଜଣ ରହିଛନ୍ତି। ବିଜେପି ଗଡ଼କୁ ବିଜେଡି ଓ କଂଗ୍ରେସ କବଜା କରିବାକୁ ଅଣ୍ଟା ଭିଡିଥିବା ବେଳେ ବିଜେପି ନିଜର ଗଡ଼ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିବ। ବିଜେପି ରାଜ୍ୟ ସଭାପତିଙ୍କ ସିଟ ଦଖଲ ପାଇଁ ଏକ ନୂଆ ଚେହେରା ଇଂ ହୋମସିଂଙ୍କୁ ରଣାଙ୍ଗନକୁ ଆଣିଛନ୍ତି। ଏବେ ଅପେକ୍ଷା ନୂଆପଡ଼ା ନିର୍ବାଚନମଣ୍ତଳୀର ଭୋଟର ନିଜର ବହୁ ମୂଲ୍ୟ ଭୋଟ କାହାକୁ ଦେଉଛି।

ସମ୍ବନ୍ଧିତ ଖବର