ନୂଆପଡ଼ା: ରାତି ୩ଟାରେ ପ୍ରଥମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ବାହାରିଲେ କିପରି?

ନୂଆପଡ଼ା: ସ୍ଥାନୀୟ ଗୋଡ଼ତୋଲସ୍ଥିତ ଜ୍ଞାନଜ୍ୟୋତି କାଞ୍ଚନବେନ ରସିକଲାଲ ବିଦ୍ୟାଲୟ ପରିସରରେ ଚାଲିଥିବା ଅନେ୍ଵଷ ହଷ୍ଟେଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ରାତି ପ୍ରାୟ ୩ଟା ସମୟରେ ବାହାରି କୁଆଡ଼େ ଚାଲିଯିବା ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସ୍କୁଲ କର୍ତୃପକ୍ଷଙ୍କ ବେଖାତିର ମନୋଭାବ ଯୋଗୁଁ ଏଭଳି ଘଟିଛି ବୋଲି ଚର୍ଚ୍ଚା ହେଉଛି। ଗୁରୁବାର ଭୋର୍‌ରେ ସ୍କୁଲ କ୍ୟାମ୍ପସରୁ ପ୍ରାୟ ୨କିମି ଦୂର ଗଡ଼ତୋର ଗ୍ରାମର ଭଜେଶ ପଟେଲଙ୍କ ଘର ସମ୍ମୁଖରେ ଉକ୍ତ ପିଲାଟି ଭୟରେ ଅନ୍ଧାରରେ ଠିଆ ହୋଇଥିଲା। ସେହିବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ତାକୁ ପଚାରିବାରୁ ସେ ହଷ୍ଟଲରୁ ଚାଲି ଆସିଥିବା ପ୍ରକାଶ କରିଥିଲା। ଭଜେଶ ଘରୁ ବାହାରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ସ୍କୁଲ କର୍ତୃପକ୍ଷଙ୍କୁ ଏ ବିଷୟରେ ଜଣାନଥିଲା।

ସ୍କୁଲ କର୍ତ୍ତୃପକ୍ଷ ଛାତ୍ରକୁ ଫେରାଇନେବା ପାଇଁ ଷ୍ଟାଫ ପଠାଇଥିଲେ। ହେଲେ ଭଜେଶ ପିଲାଟିର ବାପା ସଙ୍ଗେ ଯୋଗାଯୋଗ ପରେ ହିଁ ବିଦ୍ୟାଳୟକୁ ଛାଡ଼ିବେ ବୋଲି କହିଥିଲେ। ପିଲାଟିର ବାପା ସନ୍ଧ୍ୟାରେ ପହଞ୍ଚି ସ୍କୁଲକୁ ଯାଇଥିଲେ ଏବଂ ପିଲାଙ୍କ ସଠିକ ଦାୟିତ୍ୱ ନିଆଯାଉ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଏ ନେଇ ସ୍କୁଲ ଚ୍ୟାୟାରମେନ ଜୟ ଢୋଲକିଆଙ୍କୁ ପଚାରିବାରୁ ରାତି ପ୍ରାୟ ୩ଟା ସମୟରୁ କର୍ମଚାରୀମାନେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତି ପାଇଁ ଉଠିଥାନ୍ତି; ଏହାର ସୁଯୋଗ ନେଇ ଛାତ୍ରଟି କାଳେ ବାହାରକୁ ଚାଲିଯାଇଥିବ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଡିବ୍ଲୁଓ ସନ୍ଧ୍ୟା ମାଝୀଙ୍କ ମତାମତ ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର