ବାଲିପାଟି ଲଙ୍କେଶ୍ବରୀ ଜଙ୍ଗଲର ଅବକ୍ଷୟ:ଚାରା ରୋପଣରେ ଦୁର୍ନୀତି, ଉଚ୍ଚସ୍ତରୀୟ ତଦନ୍ତ ଦାବି

ତରବୋଡ଼: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ଗ୍ରାମପଞ୍ଚାୟତ ବାଲିପାଟି ଗ୍ରାମକୁ ଲାଗି ରହିଥିବା ଲଙ୍କେଶ୍ବର ସଂରକ୍ଷିତ ଜଙ୍ଗଲ ଧ୍ବଂସ ପାଇବାରେ ଲାଗିଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ସରକାର ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି। ହେଲେ ସେ ଟଙ୍କା ସବୁ କେମିତି ଖର୍ଚ ହେଉଛି ଗ୍ରାମବାସୀ କିଛି ଜାଣିପାରୁ ନଥିବା ଅଭିଯୋଗ କରିଛନ୍ତି। ୧୦ ବର୍ଷ ତଳେ ଯେତିକି ଗଛ ଥିଲା ବର୍ତ୍ତମାନ ବି ସେତିକି ଗଛ ଅଛି। ସେଥିପାଇଁ ବାଲିପାଟି ଗ୍ରାମର ଗୋବିନ୍ଦ ଅହୀର ସୂଚନା ଓ ଅଧିକାର ଆଇନ ବଳରେ ଜଙ୍ଗଲର ସୁରକ୍ଷା, ବନ ସଂରକ୍ଷଣ, ପୁନଃ ବନୀକରଣ, ବନୀକରଣ ପାଇଁ ପାଇଁ ୨୦୧୫ ମସିହାରୁ ୨୦୧୮ ପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ ହୋଇଛି ଜାଣିବାକୁ ଚାହିଁଥିଲେ। ଆରସିସିଏଫ ଭବାନୀପାଟଣା ଅଫିସରୁ  ଗୋବିନ୍ଦ ଅହୀରଙ୍କୁ ମିଳିଥିବା ସୂଚନା ଅନୁସାରେ ୨୦୧୫-୧୬ରେ ୫,୭୨,୮୭୨ ଟଙ୍କା, ୨୦୧୬-୧୭ରେ ୩,୪୭,୨୮୭ ଟଙ୍କା, ୨୦୧୭-୧୮ରେ ୩,୮୧,୮୮୨ ଟଙ୍କା ବାଲିପାଟି ଜଙ୍ଗଲରେ ଖର୍ଚ ହୋଇଛି। ଏହି ଆମ ଜଙ୍ଗଲ ଯୋଜନାରେ ହେଉଥିବା କାର୍ଯ୍ୟ ସବୁ ପିପିପି ମୋଡ଼ରେ ହେବାକଥା। ହେଲେ ଗ୍ରାମବାସୀ ଅଜାଣରେ ଏହି ସବୁ କାର୍ଯ୍ୟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଜଙ୍ଗଲ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେଉଥିଳେ ମଧ୍ୟ ସେମିତି କିଛି ଉନ୍ନତି ହେଉନଥିବା କହୁଛନ୍ତି। ସେଥିପାଇଁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବାଲିପାଟି ଗ୍ରାବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର