ଭାଲେଶ୍ୱର ସରପଞ୍ଚ କୋର୍ଟ ଚାଲାଣ

ଏସଏଫସି/ସିଏଫସି ପାଣ୍ଠି ଅନିୟମିତତା ମାମଲା

ନୂଆପଡ଼ା: ସଦର ବ୍ଲକ ବେଲଟୁକୁରୀ ଏବଂ ଭାଲେଶ୍ୱର ପଂଚାୟତରେ ଏସଏଫସି ଏବଂ ସିଏଫସି ଅନୁଦାନ ଟଙ୍କା ହଡ଼ପ ମାମଲାରେ ପୁଲିସ ଭାଲେଶ୍ୱର ସରପଞ୍ଚ ଶିବପ୍ରସାଦ କେଉଁଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉକ୍ତ ଅନିୟମିତତା ସଂପର୍କରେ ଜଣା ପଡ଼ିବା ପରେ ନୂଆପଡ଼ା ବିଡିଓଙ୍କ ଏତଲାକ୍ରମେ ବେଲଟୁକୁରୀ ଥାନା ପୁଲିସ ଛାନଭିନ ଆରମ୍ଭ କରିଥିଲା। ଗତ ୯ତାରିଖ ବେଲଟୁକୁରୀର ପୂର୍ବ ସରପଂଚ ଜୟପ୍ରକାଶ ସତନାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇ ନଥିବାରୁ ସଚେତନ ନାଗରିକ ମଞ୍ଚ କର୍ମକର୍ତ୍ତା ଏସପି ସ୍ମିତ ପି. ପରମାରଙ୍କୁ ଭେଟି ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ। ଏନେଇ ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇବା ପରେ ଗତ ୨ ଦିନ ହେବ ପୁଲିସ ସରକାରୀ ଟଙ୍କା ବ୍ୟାଙ୍କ ଖାତାକୁ ଯାଇଥିବା ବଡ଼ବଡ଼ିଆଙ୍କ ଘରେ ଚଢ଼ଉ ଆରମ୍ଭ କରିଥିଲା। ଗିରଫ ଭୟରେ ସେମାନେ ଫେରାର ଅଛନ୍ତି। ଶୁକ୍ରବାର ପୁଲିସ ଭାଲେଶ୍ୱର ପଞ୍ଚାୟତର ସରପଞ୍ଚ ଶ୍ରୀ କେଉଁଟଙ୍କୁ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ପିତୋଡ଼ା ଥାନା ଅଞ୍ଚଳରୁ ଗିରଫ କରିଥିଲା। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ତରନ୍ତ ଗିରଫ କରିବାକୁ ବେଲଟୁକରୀ ଓ ଭାଲେଶ୍ୱର ପଞ୍ଚୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର